ହକି ଇଣ୍ଡିଆର ବିଜୟରେ ଖୁସି ମନାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଭାରତୀୟ ପୁରୁଷ ହକି ବିଜୟରେ ଖୁସି ମନାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୪୧ ବର୍ଷ ପରେ ହକି ଟିମ ଅଲମ୍ପିକ୍ସର ସେମି ଫାଇନାଲକୁ ପ୍ରବେଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ବସି ସମ୍ପୂର୍ଣ୍ଣ ମ୍ୟାଚ ଦେଖିବା ସହ ଟ୍ୱିଟ କରି ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।ଆଗାମୀ ମ୍ୟାଚରେ ଭାରତୀୟ ପୁରୁଷ ହକି ଟିମ ବେଲଜିୟମକୁ ଭେଟିବାକୁ ଯାଉଥିବାବେଳେ ନିଶ୍ଚୟ ବିଜୟ ହାସଲ କରିବ ବୋଲି ମଧ୍ୟ ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଟୋକିଓ ଅଲିମ୍ପିକ୍ସରେ ଟିମ ବିଜୟ ହାସଲ କରିବା ନେଇ ଶୁଭେଛା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଅନ୍ୟପଟେ ଯେତେବେଳେ ଭାରତ ସହ ବ୍ରିଟେନର ମ୍ୟାଚ ଜାରି ରହିଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ରହି ସମ୍ପୂର୍ଣ୍ଣ ମ୍ୟାଚକୁ ଦେଖୁଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ରହିଥିଲେ । ଯେଉଁ ସମୟରେ ଭାରତୀୟ ପୁରୁଷ ହକି ଟିମ ବ୍ରିଟେନକୁ ପରାଜୟ କରିବା ସହ ବିଜୟ ହୋଇଥିଲା, ସେହି ସମୟରେ ମୁଖ୍ୟମନ୍ତ୍ରୀ ଠିଆ ହୋଇପଡିଥିଲେ ଏବଂ ଭାରତୀୟ ଟିମକୁ ଉତ୍ସାହିତ କରିବା ସହ ତାଳି ମଧ୍ୟ ମାରିଥିଲେ ।