ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳର ମହିଳା କର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା ମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏଥିସହ ମହିଳା ସଶକ୍ତିକରଣ ବିଜୁ ଜନତା ଦଳର ମୁଖ୍ୟ ଫୋକସ୍‌ ବୋଲି ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ । ସେ ଆଉରି ମଧ୍ୟ କହିଛନ୍ତି ଯେ, ପ୍ରବାଦ ପୁରୁଷ ବିଜୁ ବାବୁ କେବଳ ଓଡିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତିକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ। ଆଜି ଓଡିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛି । ପଞ୍ଚାୟତ ଓ ସ୍ଥାନୀୟ ଅଂଚଳ ମାନଙ୍କରେ ମା ମାନଙ୍କର ସଂରକ୍ଷଣକୁ 33% ରୁ 50% କୁ ବୃଦ୍ଧି କରାଯାଇଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ |

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମ ସରକାର ଲୋକଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରି ନାହିଁ | କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ପାଞ୍ଚ କେଜି କାଟିଦେଲେ | ସେହିପରି LPG ଦର ଏବେ ଆକାଶଛୁଆ ହେଲାଣି | ଚାଉଳ କାଟିବା ଓ LPG ଦର ବୃଦ୍ଧି ଯୋଗୁଁ ମା ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି | ” ଏଥିସହ କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡା ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମା ମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢିଛନ୍ତି । SHGରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ଏଣୁ ମା ମାନେ ସଶକ୍ତ ହୁଅନ୍ତୁ, ସଫଳ ହୁଅନ୍ତୁ ଓ ସେମାନଙ୍କ ଦକ୍ଷତା ନୂଆ ଓଡିଶାର ପରିଚୟ ହେଉ ବୋଲି ନବୀନ କହିଛନ୍ତି |