କଂଗ୍ରେସର ଅଫିସିଆଲ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ନିଲମ୍ବନ କରାଯିବା ପରେ କଂଗ୍ରେସ ବୁଧବାର ବିଳମ୍ବିତ ରାତିରେ ଦାବି କରିଛି ଯେ ରଣଦୀପ ସୁରଜେୱାଲାଙ୍କ ସମେତ ୫ ଜଣ ବରିଷ୍ଠ ନେତାଙ୍କ ଆକାଉଣ୍ଟ ବିରୋଧରେ ମଧ୍ୟ ସମାନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହ ଫେସ୍ବୁକ ଓ ଇନ୍ଷ୍ଟାଗ୍ରାମ ଜରିଆରେ କଂଗ୍ରେସ ଏନେଇ ସୂଚନା ଦେବା ସହ ଉକ୍ତ ମ୍ୟାସେଜର ସ୍କ୍ରିନ୍‌ଶଟ୍‌କୁ ପୋଷ୍ଟ କରିଛି। ଏଥିସହ କ୍ୟାପସନ୍ ରେ ଲେଖାଯାଇଛି,  ‘ଯେତେବେଳେ ଆମର ନେତାମାନଙ୍କୁ ଜେଲରେ ରଖାଯାଇଥିଲା ସେତେବେଳେ ଭୟଭୀତ ହୋଇ ନ ଥିଲୁ। ବର୍ତ୍ତମାନ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ କାହିଁକି ଭୟ କରିବୁ? ଆମେ କଂଗ୍ରେସ, ଜନତାଙ୍କ ବାର୍ତ୍ତା, ଆମେ ଲଢ଼ିଛୁ ଏବଂ ଲଢ଼ୁଥିବୁ। ଯଦି ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସ୍ବର ଉତ୍ତୋଳନ କରିବା ଅପରାଧ, ତେବେ ଆମେ ଏହି ଅପରାଧକୁ ଶହେ ଥର କରିବୁ। ଜୟ ହିନ୍ଦ୍ ସତ୍ୟମେବ ଜୟତେ।’

ଦିଲ୍ଲୀ କ୍ୟାଣ୍ଟ ନିକଟବର୍ତ୍ତୀ ଅଞ୍ଚଳରେ ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରାଯିବା ପରେ ରାହୁଲ ଗାନ୍ଧୀ ପରିବାର ସଦସ୍ୟ ତଥା ସ୍ଥାନୀୟ ଲୋକଙ୍କୁ ଭେଟିବାକୁ ଯାଇଥିଲେ । ରାହୁଲ ଗାନ୍ଧୀଙ୍କ ଟ୍ୱିଟ ବିରୋଧରେ ଜାତୀୟ ଶିଶୁ ଆୟୋଗର ଅଭିଯୋଗ ପରେ ଟ୍ୱିଟର କେବଳ ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ହଟାଇ ଦେଇନାହିଁ ବରଂ ତାଙ୍କ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ସ୍ଥଗିତ କରିଛି । ଟ୍ୱିଟର ଜରିଆରେ ଦୈନିକ ମୋଦି ସରକାରଙ୍କୁ ଆକ୍ରମଣ କରୁଥିବା ରାହୁଲ ଗାନ୍ଧୀ ଆକାଉଣ୍ଟ ସସ୍ପେଣ୍ଡ ଯୋଗୁଁ ଦୁଇ ଦିନ ଧରି ଟ୍ୱିଟ୍ କରିପାରିନାହାଁନ୍ତି ।