ଖଣ୍ଡପଡ଼ା: ଗଣେଣ ମୂର୍ତ୍ତି ଭସାଣି ବେଳେ ସଂଘର୍ଷ । ଜଣେ ମୃତ, ୧୦ ଆହତ । ଫତେଗଡ଼ ଥାନା କରଡ଼ାପଲ୍ଲୀ ଓ ପାଥପୁର ଗାଁ ମଧ୍ୟରେ ସଂଘର୍ଷ । ଡିଜେକୁ ନେଇ ଉଭୟ ଗାଁ ମଧ୍ୟରେ ସଂଘର୍ଷ । କରଡ଼ାପଲ୍ଲୀ ଗାଁର ହରିହର ସ୍ଵାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ସଂଘର୍ଷରେ ଉଭୟ ଗାଁର ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧୦ଟା ସମୟରେ ପାଥପୁର ଏବଂ କରଡ଼ାପଲ୍ଲୀ ଗ୍ରାମରେ ଗଣେଶ ଠାକୁରଙ୍କ ଭଷାଣି ପର୍ବ ଅନୁଷ୍ଠିତ ହେଉଥିଲା । ଏହି ସମୟରେ ଡିଜେକୁ ନେଇ ଉଭୟ ଗାଁର ଯୁବକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା । କରଡ଼ାପଲ୍ଲୀ ଗ୍ରାମ ଠାକୁରଙ୍କ ଡିଜେ ବାଜାର ଅତ୍ୟଧିକ ସାଉଣ୍ଡ ନେଇ ପାଥପୁର ଗ୍ରାମର କିଛି ଯୁବକ ବାରଣ କରିଥିଲେ । ଫଳରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । କରଡ଼ାପଲ୍ଲୀ ଗ୍ରାମର ରଶ୍ମିରଂଜନ ସ୍ବାଇଁଙ୍କ ଉପରେ ଆକ୍ରମଣ ବେଳେ ତାଙ୍କ ବାପା ହରିହର ସ୍ୱାଇଁ ଛଡାଇବାକୁ ଆସିଥିବାବେଳେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସଂଘର୍ଷରେ ଉଭୟ ଗାଁର ୧୦ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଉଭୟ ଗାଁରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।