ଏପ୍ରିଲ୍‌ ୨୮ରୁ ଆରମ୍ଭ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା, ଚଳିତ ବର୍ଷ ଦୁଇଟି ପଦ୍ଧତିରେ ମୂଲ୍ୟାୟନ

0

ଭୁବନେଶ୍ୱର: ମାଟ୍ରିକ୍‌ ପରେ ଘୋଷଣା ହେଲା ଯୁକ୍ତ ୨ ବୋର୍ଡ ପରୀକ୍ଷା ତାରିଖ ଏବଂ ମୁଲ୍ୟାୟନ ପଦ୍ଧତି । ଏପ୍ରିଲ୍‌ ୨୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ହେବ ପରୀକ୍ଷା। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବ୍ୟବସ୍ଥାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଖରା ପାଇଁ ସକାଳ ୯ଟାରୁ ଆରମ୍ଭ ହେବ ଚଳିତ ବର୍ଷର ପରୀକ୍ଷା ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ । ନିଜ କଲେଜ ଏବଂ ଶିକ୍ଷକଙ୍କ ଅଧୀନରେ ଚଳିତ ଥର ପ୍ରାକ୍ଟିକାଲ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଶେଷ କ୍ୱାର୍ଟର ପରୀକ୍ଷାର ଥିଓରୀ ଓ ପ୍ରାକ୍ଟିକାଲ ମାର୍କରୁ ପିଲାଙ୍କୁ ୨୦ ପ୍ରତିଶତ ମାର୍କ ମିଳିବ । ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ଅନ୍ୟପକ୍ଷେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ଦୁଇଟି ପଦ୍ଧତିରେ କରାଯିବ। ପ୍ରଥମଟି ହେଉଛି ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ପ୍ରଦାନ କରାଯିବ। ଏବଂ ଦ୍ୱିତୀୟଟି ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାଟର ଏଣ୍ଡର ୨୦% ଅନୁସାରେ ଛାତ୍ର ଛାତ୍ରୀଙ୍କୁ ମାର୍କ ଦିଆଯିବ। ତେବେ ଏହି ଦୁଇଟି ବ୍ୟବସ୍ଥାରୁ ଯେଉଁଥିରେ ସର୍ବାଧିକ ମାର୍କ ରହିବ, ସେହି ପ୍ରକ୍ରିୟା ଚୂଡାନ୍ତ ହେବ।

ଅନ୍ୟପକ୍ଷେ, ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ପରୀକ୍ଷା । ଏହା ମେ ମାସ ୭ ତାରିଖରେ ସମାପ୍ତ ହେବ । ପରୀକ୍ଷା ନିମନ୍ତେ ପ୍ରତ୍ୟକ ବିଷୟ ପାଇଁ ୨ ଘଣ୍ଟା ଲେଖାଏଁ ସମୟ ରହିଥିବା ବେଳେ କେବଳ ଗଣିତ ପରୀକ୍ଷା ପାଇଁ ୨ ଘଣ୍ଟା ୧୫ ମିନିଟ୍‌ ସମୟ ଅଧିକା ଦିଆଯିବ । ପ୍ରଥମ ସିଟିଂ ସକାଳ ୮ଟାରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ସିଟିଂ ୧୧ ଟାରୁ ଆରମ୍ଭ ହେବ । ସେହିଭଳି ପ୍ରଶ୍ନପତ୍ରକୁ ଦେଖିବାକୁ ଗଲେ ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ରହିଥିବା ସମୟରେ ଏକ୍ସ ରେଗୁଲାରଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ରହିବ । ୪ ଟି ସେଟ୍‌ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।