ଭୁବନେଶ୍ଵର: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ଏଥିପାଇଁ ସଜେଇ ହୋଇଛି ଚର୍ଚ୍ଚ । ପ୍ରଭୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଖ୍ରୀଷ୍ଟ ଧମ୍ବାବଲମ୍ବୀ । ଖ୍ରୀଷ୍ଟମାସ ଟ୍ରି, ସ୍ନୋ ବଲ ଓ ରଙ୍ଗାରଙ୍ଗ ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ । ସେଲିବ୍ରେସନ ମୁଡରେ ସାରା ବିଶ୍ବ। ବିଭିନ୍ନ ଚର୍ଚ୍ଚରେ ଭିଡ଼ ହେଲାଣି । ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବାକୁ ସମସ୍ତ ପ୍ରସ୍ତୁତି ସରିଛି । ଚର୍ଚ୍ଚ ପରିସରରେ ଯୀଶୁଙ୍କ ଜନ୍ମ ସମୟର ଦୃଶ୍ୟକୁ ଦେଖାଇବା ପାଇଁ ବିଭିନ୍ନ ପ୍ରକାର ମୂର୍ତ୍ତି ସହ କୁଡିଆ ଘର ବି ପ୍ରସ୍ତୁତ କରାଯାଇଛି। ବଡ଼ଦିନକୁ ଧୂମଧାମରେ ପାଳନ କରିବା ପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିତରେ ପ୍ରବଳ ଉତ୍ସାହ । ସେପଟେ ଖ୍ରୀଷ୍ଟମାସ ଓ ବଡ଼ଦିନ ପାଇଁ କମିସନରେଟ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି।

ଭୁବନେଶ୍ଵର ସତ୍ୟନଗର ଚର୍ଚ୍ଚରେ ଯୀଶୁ ଙ୍କ ସ୍ଵାଗତ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାଲି ଦିନ ତମାମ ସାଧରଣ ଲୋକଙ୍କ ପାଇଁ ଚର୍ଚ୍ଚ ଖୋଲା ରହିବ। ସେହିପରି ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କନ୍ଧମାଳ ସହର। ଚିକମିକ୍ ଲାଇଟରେ ସଜେଇ ହେଉଛି ଚର୍ଚ୍ଚ। ବଡ ଦିନକୁ ଧୁମଧାମରେ ପାଳିବାକୁ ଚର୍ଚ୍ଚ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜିଉଦୟଗିରୀ, ରାଇକିଆ ଦାରିଙ୍ଗବାଡି ଓ ବାଲିଗୁଡା ଭଳି ଅଞ୍ଚଳଗୁଡ଼ିକରେ ରଙ୍ଗ ବେରଙ୍ଗ ଲାଇଟରେ ଝଲସୁଛି ଚର୍ଚ୍ଚ। ଶାନ୍ତି ଶୃଙ୍ଖଳାର ସହ ବଡ଼ ଦିନ ପାଳିବାକୁ କନ୍ଧମାଳ ଜିଲ୍ଲାପାଳ ଓ କନ୍ଧମାଳ ଏସପିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି। ସମଗ୍ର ଜିଲ୍ଲାରେ ୨୭ ପ୍ଲାଟୁନ ଫୋର୍ସ, ୮୦ ଜଣ SI,OSI ମୂତୟନ କରାଯାଇଛି। ଏହାର ତଦାରଖ ପାଇଁ ୧୭ ଜଣ ଇନସ୍ପେକ୍ଟର ୭ଜଣ SDPO, DSP ଜଣେ ଅତିରିକ୍ତ ଏସପିଙ୍କୁ ଦାୟୀତ୍ଵ ଦିଆଯାଇଛି।