ଗୁଆଙ୍ଗଜୋ : ଜାଣିଶୁଣି ନିଜକୁ କରୋନା ପଜିଟିଭ୍ କରାଇଲେ ଚୀନ୍ ସିଙ୍ଗର । ଏନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ ଯେଉଁ ଉତ୍ତର ଦେଇଥିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନୂଆବର୍ଷ ପୂର୍ବରୁ ସେ କରୋନା ସଂକ୍ରମିତ ହେବାକୁ ଚାହୁଁଥିଲେ ବୋଲି କହିଛନ୍ତି । ‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍’ ରିପୋର୍ଟ ମୁତାବକ, କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସାଙ୍ଗସାଥିଙ୍କ ସହିତ ମିଳାମିଶା କରି କରୋନା ସଂକ୍ରମିତ ହୋଇଛନ୍ତି ।
ଗାୟିକା ଜଣକ BF.7 ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ଜାଣିଶୁଣି କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହେବା ପରେ ଚୀନା ଗାୟିକା ତଥା ଗୀତିକାର ଜାନି ସାଙ୍ଗ୍ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚିତ ହୋଇଛନ୍ତି। ତେବେ ସେ କହିଛନ୍ତି, ଏବେଠୁ ସଂକ୍ରମିତ ହୋଇଗଲେ ନୂଆ ବର୍ଷ ଜିଣୋ ନାଇଟ୍ରେ ସଂକ୍ରମଣ ହେବାର ଆଶଙ୍କା ରହିବ ନାହିଁ। ଏବେ ସୁସ୍ଥ ହେବା ପାଇଁ ମୋ ପାଖରେ ସମୟ ଥିବାରୁ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଲୋକମାନଙ୍କ ସହିତ ମୁଁ ମିଳାମିଶା କଲି।
ଜ୍ୱର, ତଣ୍ଟି ଦରଜ ଓ ଘୋଳାବିନ୍ଧା ଆଦି ଲକ୍ଷଣ ଦେଖା ଦେବାରୁ ସେ ଶୋଇପଡ଼ିଲେ। ତାଙ୍କର ଏହି ସବୁ ଲକ୍ଷଣ କୋଭିଡ୍ ରୋଗୀମାନଙ୍କ ଲକ୍ଷଣ ସହିତ ସମାନ ହୋଇଥିଲେ ବି ତାହା ଗୋଟିଏ ଦିନ ରହିଥିଲା ବୋଲି ୩୮ ବର୍ଷୀୟ ଗାୟିକା ସାଙ୍ଗ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ଦିନ ଓ ରାତି ଶୋଇବା ପରେ, ମୋ ଶରୀରରୁ ସମସ୍ତ ଲକ୍ଷଣ ଦୂରେଇଗଲା । ଅନ୍ୟ କୌଣସି ଔଷଧ ନ ଖାଇ ମୁଁ କେବଳ ଯଥେଷ୍ଟ ପରିମାଣର ପାଣି ପିଇଲି ଓ ଭିଟାମିନ୍ ‘ସି’ ଖାଇ ଭଲ ହୋଇଗଲି ବୋଲି ସେ ସଫେଇ ଦେଇଛନ୍ତି । ତେବେ ଗାୟିକା ଜଣକ ଟ୍ରୋଲ ହେବା ପରେ ଫ୍ୟାନ୍ସଙ୍କୁ କ୍ଷମା ମାଗିଛନ୍ତି ।