କ’ଣ ପାଇଁ ଚିଲିକାରେ ଉଡିବନି ସି-ପ୍ଲେନ ?

(ସୌମ୍ୟ ରଂଜନ ସେଠୀ) : ଚିଲିକାରେ ଉଡିବାକୁ ଥିବା ସି-ପ୍ଲେ୍ଲନର ପୂର୍ଣ୍ଣଛେଦ ଘଟିଛି, ଉଡିବାକୁ ଥିବା ସି-ପ୍ଲେନ ଆଉ ଉଡିବନି, ଯେଉଁ ପ୍ରସ୍ଥାବ ଆସିଥିଲା ତାହାକୁ ପ୍ରତ୍ୟାହାର କରିଛି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣେଇଛି ।

ଏହା ପୂର୍ବରୁ ଚିଲିକାରେ ସି-ପ୍ଲେନ ଅବତରଣକୁ ବିରୋଧ କରିଥିଲେ ସ୍ଥାନୀୟ ବିଜେଡି ନେତା । ଚିଲିକାରେ ୱାଟର ଏରୋଡ୍ରମ୍ ନିର୍ମାଣ ହେଲେ ଜୈବ ବିବିଧତା ପ୍ରଭାବିତ ହେବ ବୋଲି କହିଥିଲେ, ବିଜେଡି ନେତା ସଂଜୟ ଦାସବର୍ମା । ଆଉ ସଂଜୟ ଦାସବର୍ମାଙ୍କ ବୟାନ ସହ ତାଳ ଦେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ, ଆମର ଉଡାଜାହାଜ ଉଡିବା ଦରକାର ନାହିଁ । ଏପଟେ ବିଜେଡିର ଏଭଳି ଆଭିମୁଖ୍ୟକୁ କଡ଼ା ଭାଷାରେ ସମାଲେଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଯୁବ ପୀଢ଼ିଙ୍କ ରୋଜଗାରକୁ ପ୍ରଭାବିତ କରିବ ଏଭଳି ନିଷ୍ପତି ।

ସିଡିଏ କର୍ତ୍ତୃପକ୍ଷ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଚିଲିକାରେ ବିଶ୍ୱର ସବୁଠୁ ଅଧିକ ଇରଓ୍ଵାଡି ଡଲଫିନ୍ ଏଠାରେ ଦେଖାଯାଆନ୍ତି । ଏବେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବା ପରେ ଉତ୍ତର ଦିଗରେ ବି ଡଲଫିନ୍ ଚଳପ୍ରଚଳ କରୁଛନ୍ତି। ଏଠାରେ ମୋଟ୍ ୧୫୫ଟି ଇରଓ୍ଵାଡି ଡଲଫିନ୍ ଥିବାବେଳେ ଭାରତୀୟ ବନ୍ୟଜନ୍ତୁ (ସୁରକ୍ଷା) ଆଇନ ୧୯୭୨ ଅନୁଯାୟୀ ସୁରକ୍ଷା ଯୋଗାଯାଉଛି । ୧୦୦ ଡେସିବେଲରୁ ଅଧିକ ଶବ୍ଦ ହେଲେ ସେମାନଙ୍କ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ଅଛି । ଚିଲିକାରୁ ବାର୍ଷିକ ୧୪ହଜାର ମେଟ୍ରିକ ଟନ୍ ମାଛ ଉତ୍ପାଦନ ହେଉଥିବାବେଳେ ଏହା ଉପରେ ୨ଲକ୍ଷ ମତ୍ସ୍ୟଜୀବୀ ପରିବାର ନିର୍ଭର କରୁଛନ୍ତି । ବିମାନର ଅବତରଣ ଏବଂ ଉଡ଼ାଣ ସମୟରେ ସୃଷ୍ଟି ହେବାକୁ ଥିବା କମ୍ପନ ଦ୍ୱାରା ମାଛମାନଙ୍କର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବ । ଏହାସହ ଚିଲିକାକୁ ୩୩୫ ପ୍ରଜାତିର ମାଛ, ୨୩୫ ପ୍ରଜାତିର ପକ୍ଷୀ, ୭୨୯ ପ୍ରଜାତିର ବୃକ୍ଷ ଓ ଗୁଳ୍ମ, ୩୦ ପ୍ରଜାତିର ସରୀସୃପ ରହୁଥିବାରୁ ଏହାର ଜୈବ ବିବିଧତା ଉପରେ ଘୋର୍ ପ୍ରଭାବ ପଡ଼ିବ । ବିମାନ ଉଡ଼ାଣ ଏବଂ ଶବ୍ଦ ଯୋଗୁଁ ବିଭିନ୍ନ ପ୍ରଜାତିର ମାଛ ଓ ପକ୍ଷୀ ପ୍ରଭାବିତ ହେବେ ।