କଟକ ଘରୋଇ ନର୍ସିଂ ହୋମ୍ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ

ଭୁବନେଶ୍ୱର : କଟକର ଏକ ଘରୋଇ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉ ଥିବା ସଂସ୍ଥା ଏ ସବୁ ବିଷୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ।  ଚିକିତ୍ସିତ ରୋଗୀମାନଙ୍କୁ ଯଥାଶୀଘ୍ର ଅନ୍ୟାନ୍ୟ ଚିକିତ୍ସାଳୟକୁ ନେଇ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ  ସେ ସ୍ୱାସ୍ଥ୍ୟ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନି ନିରାପତ୍ତା ଜନିତ ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ସେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।