ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଜାପାନର ରାଜଧାନୀ ଟୋକିଓରେ ଖେଳାଯାଉଥିବା ପାରା ଅଲିମ୍ପିକ୍ସରେ ଶନିବାର ଦିନଟି ଭାରତ ପାଇଁ ବହୁତ ଖାସ ରହିଛି। ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ ଏକକ ବର୍ଗ ଏସଏଲ ୩ରେ ଭଗତ ଚାମ୍ପିଅନ ହୋଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତ ପାରା ଅଲିମ୍ପିକ୍ସରେ ଏ ପର୍ୟ୍ୟନ୍ତ ଚତୁର୍ଥ ଗୋଲ୍ଡ ଜିତିବାରେ ସଫଳ ହୋଇଛି। ଏନେଇ ସମସ୍ତେ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କ ବିଜୟକୁ ‘ସ୍ୱର୍ଣ୍ଣିମ ମୁହୂର୍ତ୍ତ’ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ପାରା ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି, ‘ତୁମ ସଫଳତା ସାରା ଦେଶକୁ ଗୌରବାନ୍ୱିତ କରିଛି ।ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।’
ମାତ୍ର ୫ ବର୍ଷ ବୟସରେ ପ୍ରମୋଦ ପୋଲିଓ ରୋଗର ଶିକାର ହୋଇଥିଲେ । ପ୍ରମୋଦ ଏଯାବତ୍ ୪୫ଟି ଅନ୍ତରାଷ୍ଟ୍ରୀୟ ପଦକ ଜିତିଛନ୍ତି । ଯେଉଁଥିରେ ୪ଟି ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣପଦକ ସହ ୨୦୧୮ ଏସିଆଇ ପାରା ଖେଳରେ ଏକ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ସାମିଲ୍ ରହିଛି ।