ଚାଟେଶ୍ୱର ଦୋଳ ମେଳଣ

ସାଲେପୁର: ବସନ୍ତ ଋତୁରେ ରଙ୍ଗର ପର୍ବ ହୋଇଛି ହୋଲି ପର୍ବ । ଓଡ଼ିଶାର ଗାଁ ଠୁ ସହର ଯାଏ ଏ ରଙ୍ଗର ଉତ୍ସବକୁ ସମସ୍ତେ ପାଳନ କରିଥାନ୍ତି । ଗତ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ଏ ଖୁସିର ଉତ୍ସବକୁ ପାଳନ କରିବାରୁ ବଂଚିତ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ଲୋକମାନେ ଖୁବ ଖୁସିରେ ଏହି ଉତ୍ସବକୁ ପାଳନ କରୁଛନ୍ତି । ନିଆର ପରମ୍ପରା ମେଣ୍ଢାକୁଡ଼ିଆ ପୋଡ଼ି ସହ ଚାଟେଶ୍ୱର ଦୋଳ ମେଳଣ ଅନୁଷ୍ଠିତ । ଏ ପରମ୍ପରା ହେଉଛି କଟକ ଜିଲ୍ଲା ସାଲେପୁରରେ । ସାଲେପୁରରେ ଥିବା କ୍ରିଷ୍ଣାପୁର ଚାଟେଶ୍ୱର ମେଳଣ ପଡ଼ିଆରେ ଉତ୍ସବମୁଖ ହୋଇଉଠିଛି । ଏହି ପଡ଼ିଆରେ ସାଲେପୁର ଅଂଚଳର ୪୩ରୁ ଅଧିକ ଦୋଳ ବିମାନ ଏକାଠି ହୋଇଥାଆନ୍ତି । ଏକାଡି ହେବାପରେ ଆରମ୍ଭ ହୋଇଥାଏ ମେଳଣ କାର୍ଯ୍ୟକ୍ରମ ।

ବିମାନରେ ଶୋଭା ପାଉଛନ୍ତି ରାଧାକୃଷ୍ଣ ମୁର୍ତ୍ତି। ଘଣ୍ଟ, ଘଣ୍ଟି, ଢୋଲ, ମୃଦଙ୍ଗ ଝାଞ୍ଜ କୀର୍ତ୍ତନରେ ସାରା ମେଳଣ ପଡ଼ିଆ କମ୍ପି ଉଠି ଥାଏ । ଯାହାକୁ ଦେଖିବା ପାଇଁ ବହୁ ଭକ୍ତଙ୍କ ଭିଡ଼ ଲାଗିଛି । ପ୍ରଥମେ ବିମାନରେ ଠାକୁରଙ୍କୁ ପୂଜକମାନଙ୍କ ଦ୍ୱାରା ଆଳତି ହୋଇଥାଏ। ଆଳତି ପରେ ସମସ୍ତ ବିମାନକୁ ନୂଆ ବସ୍ତ୍ର ଓ ମାଟି ହାଣ୍ଡିରେ ନୈବେଦ୍ୟ ଅର୍ପଣ କରାଯାଇଥାଏ।

ଏଠାରେ ମେଳଣ ପଡ଼ିଆରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ। ଭକ୍ତମାନେ ମାନସିକ ପୂରଣ ପାଇଁ ଧାଡ଼ିଧାଡ଼ି ହୋଇ ମେଳଣ ପଡ଼ିଆରେ ଦଣ୍ଡ ପ୍ରଣାମ କରନ୍ତି। ଅଲ୍ଲିହା ଗାଦିଶ୍ୱରମାନେ ବିମାନ କାନ୍ଧେଇ ସେମାନଙ୍କ ଉପରେ ଚାଲିଚାଲି ଯାଇଥାନ୍ତି। ଏହାଦ୍ୱାରା ଶ୍ରଦ୍ଧାଳୁମାନଙ୍କର ମନୋସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତ ଓ ଶ୍ରଦ୍ଧାଳୁମାନେ କହିଛନ୍ତି।

ଏହି ମେଳଣର ସ୍ୱତନ୍ତ୍ର ବିଶେଷତ୍ୱ ହେଲା ମେଣ୍ଢାକୁଡ଼ିଆ ପୋଡ଼ି। ଏଠାରେ ଗାଦିଶ୍ୱରମାନେ ଏକାଠି ହୋଇ ପଡ଼ିଆରେ ମେଣ୍ଢାକୁଡିଆ ପୋଡ଼ି କରିଥାନ୍ତି। ଯାହାକୁ ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ଏହା ଦ୍ୱାରା ସମାଜରୁ କଳିକାଳ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଭାଇଚାରାର ପର୍ବ ମେଳଣ ପଡ଼ିଆରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ।