ରାଷ୍ଟ୍ରପତି ଭବନର ଦରବାର ହଲ୍’ ଏବଂ ‘ଅଶୋକ ହଲ୍’ର ନାମ ପରିବର୍ତ୍ତନ

ନୂଆଦିଲ୍ଲୀ: ବଦଳିଲା ରାଷ୍ଟ୍ରପତି ଭବନର ଦୁଇଟି ସମ୍ମିଳନୀ କକ୍ଷର ନାମ ।ରାଷ୍ଟ୍ରପତି ଦୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ଦୁଇଟି ପ୍ରମୁଖ ହଲ ‘ଦରବାର ହଲ’ଏବଂ ‘ ଅଶୋକ’ ହଲ ନାମକୁ ପରିବର୍ତ୍ତନ କରି ‘ ଗଣତନ୍ତ୍ର ମଣ୍ଡପ’ ଏବଂଅଶୋକ ମଣ୍ଡପ ନାମରେ ନାମିତ କରିଛନ୍ତି । ଏହି ପଦକ୍ଷେପ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧ ଓ ନୈତିକତା ସହିତ ଜଡିତ ରହିବ ବୋଲି ଲକ୍ଷ୍ୟ କରାଯାଉଛି ।  ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏପରି ନାଁ ପରିବର୍ତ୍ତନ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରତିଫଳିତ କରିବ। ରାଷ୍ଟ୍ରପତି ଭବନକୁ ଅଧିକ ବ୍ୟବହାର ଯୋଗ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ରାଷ୍ଟ୍ରପତି ଭବନ, ଅଫିସ ଓ ଭାରତୀୟ ରାଷ୍ଟ୍ରପତିଙ୍କ ବାସଭବନ ଦେଶର ପ୍ରତିମ୍ବିବ।  ଏହାକୁ ଲୋକଙ୍କ ପାଇଁ ଅଧିକ ମାତ୍ରାରେ ଉପଲବ୍ଧ କରିବାକୁ ପ୍ରୟାସ କରାଯାଉଛି। ରାଷ୍ଟ୍ରପତି ଭବନର ଆମ୍ବିଆନ୍ସରେ ଭାରତୀୟ ସଂସ୍କୃତିକୁ ସ୍ଥାନ ଦେବାକୁ ନିୟମିତ ଉଦ୍ୟମ ଚାଲିଛି। ଏହିକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଶ ଆତ୍ମସନ୍ତୋଷ ଲାଭ କରି ରାଷ୍ଟ୍ରପତି ଭବନର ଦୁଇଟି ହଲ- ଦରବାର ହଲ ଓ ଅଶୋକ ହଲ୍‌ର ନାଁକୁ ଯଥାକ୍ରମେ ଗଣତନ୍ତ୍ର ମଣ୍ଡପ ଓ ଅଶୋକ ମଣ୍ଡପକୁ ପରିବର୍ତ୍ତନ କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଦରବାର ହଲ୍‌ର ମହତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏଠାରେ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ନ୍ୟାଶନାଲ ଆୱାର୍ଡ ଏହି ସ୍ଥାନରେ ପ୍ରଦାନ କରାଯାଏ। ଦରବାରର ଅର୍ଥ ଭାରତୀୟ ଶାସକ ଓ ବ୍ରିଟିଶରମାନଙ୍କ କୋର୍ଟ ବା ଏକାଠି ହେଉଥିବା ସ୍ଥାନ। ଭାରତ ଗୋଟିଏ ରିପବ୍ଲିକ ବା ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ପରେ ଏହି ଶବ୍ଦ ତା’ର ମହତ୍ୱ ହରାଇଛି। ଭାରତୀୟ ସମାଜ ସହ ଗଣତନ୍ତ୍ର ଶବ୍ଦ ବେଶ ଭଲ ଭାବେ ଜଡ଼ିତ। ତେଣୁ ଏହି ସ୍ଥାନର ନାଁ ଗଣତନ୍ତ୍ର ମଣ୍ଡପ ରଖାଯାଇଥିବା ସରକାର କହିଛନ୍ତି।

ଅଶୋକ ହଲ ପ୍ରଥମରୁ ଗୋଟିଏ ବଲ୍‌ ରୁମ ଭାବେ ପରିଚିତ ଥିଲା। ଭାଷାରେ ସମାନତା ଆଣିବା ପାଇଁ ଏହାର ନାଁ ଅଶୋକ ମଣ୍ଡପ କରାଯାଇଛି। ଅଶୋକ ଶବ୍ଦର ଅର୍ଥ ଯିଏ ସବୁ ପ୍ରକାରର ସମସ୍ୟା ବା ଦୁଃଖରୁ ମୁକ୍ତ ହୋଇଥିବ। ଏହା ସମ୍ରାଟ ଅଶୋକଙ୍କ ସହ ମଧ୍ୟ ଜଡ଼ିତ। ସମ୍ରାଟ ଅଶୋକ ଏକତା ଓ ଶାନ୍ତିର ପ୍ରତୀକ। ଅଶୋକ ଗଛର ମହତ୍ୱ ମଧ୍ୟ ଭାରତୀୟ ଧାର୍ମିକ ପରମ୍ପରା ସହ ଜଡ଼ିତ। ଭାରତର ପ୍ରତୀକରେ ମଧ୍ୟ ଅଶୋକ ସ୍ତମ୍ଭ ରହିଛି। ତେଣୁ ଅଶୋକ ହଲ୍‌ ନାଁ ଅଶୋକ ମଣ୍ଡପ ରଖାଯାଇଛି।