ଭୁବନେଶ୍ବର: ଆସନ୍ତା ୨୫ ତାରିଖ ଏବଂ ଜୁନ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ।ଆସନ୍ତା କାଲି ୨୨ତାରିଖ ଦିନ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ସକାଳ ୮.୩୦ରେ ସମ୍ବଲପୁର ଗସ୍ତ କରି ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ । ଏହାପରେ ସକାଳ ୦୯.୧୫ରେ ସମ୍ବଲପୁରଠାରେ ଥିବା ସ୍ୱର୍ଗତଃ ବିଜୁ ବରୁଆଙ୍କ ଜନ୍ମ ସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ । ଶ୍ରୀ ବିଶ୍ୱଶର୍ମା ଦେବଗଡଠାରେ ପୂର୍ବାହ୍ନ ୧୦.୩୦ରେ ‘ରୋଡ୍ ଶୋ’ରେ ଯୋଗ ଦେବେ । ଶ୍ରୀ ବିଶ୍ୱଶର୍ମା ମଧ୍ୟାହ୍ଣ ୧.୩୦ରେ ଚଂପୁଆ ନିର୍ବାଚନମଣ୍ଡଳୀର ବଡବିଲ, ଅପରାହ୍ଣ ୩ ଟାରେ ଚୌଦ୍ୱାର ଏବଂ ଅପରାହ୍ଣ ୪ଟାରେ ବଡମ୍ବାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ଲୋକପ୍ରିୟ ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀରାମ ଚରିତ୍ରରେ ଭୂମିକା ନିର୍ବାହ କରିଥିବା ସୁପ୍ରସିଦ୍ଧ ସିନେ ତାରକା ଶ୍ରୀ ଅରୁଣ ଗୋଭିଲ ଆସନ୍ତା କାଲି ୨୨ ତାରିଖ ପୂର୍ବାହ୍ନ୧୦.୪୫ରେ କେନ୍ଦୁଝରର ଚମ୍ପୁଆ, ମଧ୍ୟାହ୍ଣ ୧୨.୧୫ରେ ତେଲକୋଇଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ । ଶ୍ରୀ ଗୋଭିଲ ଅପରାହ୍ନ ୧.୩୦ରେ ଢେଙ୍କାନାଳଠାରେ ଅନୁଷ୍ଠିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଶ୍ରୀ ଗୋଭିଲ ଅପରାହ୍ନ ୩ଟାରେ ଜୟଦେବ ନିର୍ବାଚନମଣ୍ଡଳୀର ଗୋରୁହାଟ ପଡିଆଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟାରେ କରଞ୍ଜିଆ, ମଧ୍ୟାହ୍ଣ ୧୨.୩୦ରେ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ, ଅପରାହ୍ନ ୧.୩୦ରେ ବଡଚଣା ଏବଂ ଅପରାହ୍ଣ ୩.୩୦ରେ ବାଲିକୁଦା ନିର୍ବାଚନମଣ୍ଡଳୀର ଏରସମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ସେହିପରି ଆସନ୍ତା ୨୩ ତାରିଖ ଦିନ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ବାଚନୀ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି । ଯୋଗୀ ଆଦିତ୍ୟନାଥ ୨୩ ତାରିଖ ପୂର୍ବାହ୍ନ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରଠାରେ ଏବଂ ପୂର୍ବାହ୍ନ ୧୧.୩୦ରେ ମାହାଙ୍ଗା ନିର୍ବାଚନମଣ୍ଡଲୀର କୁଳିଆ ମାର୍କେଟ ପଡିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।