ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

ମୁନିଗୁଡା/ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ତରଫରୁ ଆଉ ଏକ ଗଞ୍ଜେଇ ଚୋରା ଚାଲାଣକାରୀ ଗ୍ରୁପ ସହିତ ୩୩କେଜି ଗଞ୍ଜେଇକୁ ରେଲୱେ ଅଟୋ ଷ୍ଟାଣ୍ଡ ନିକଟରୁ ଜବତ କରିଥିବା ମୁନିଗୁଡା ପୋଲିସ ପାଖରୁ ଜଣାପଡିଛି। ସୂଚନା ଅନୁଯାୟୀ ଏସ୍ଡିପିଓ ଆକାଶ ଚନ୍ଦ୍ର ସାହୁ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ,ଏକ ଗଞ୍ଜେଇ ଚୋରା ଚାଲାଣକାରୀ ଗ୍ରୁପ ଗଞ୍ଜେଇ ବ୍ୟାଗ ସହିତ କନ୍ଧମାଳରୁ ବସଯୋଗେ ମୁନିଗୁଡା ଆସୁଛନ୍ତି। ସେମାନେ ଏହି ଗଂଜେଇକୁ ଟ୍ରେନ ଯୋଗେ ପଶ୍ଚିମବଙ୍ଗ ନେଇ ଯିବାର ଖବର ମଧ୍ୟ ପୋଲିସ ପାଖରେ ପହଞ୍ଚିଥିଲା। ଏଣୁ ଏସ୍ଡିପିଓଙ୍କ ନିର୍ଦେଶକ୍ରମେ ମୁନିଗୁଡା ଥାନା ଆଇଆଇସି ସୁଜ୍ଞାନୀ ସାହୁ ଏସ ଆଇ ନରସିଂହ ବେହେରା ଓ ଦଳବଳ ସହିତ ରେଲୱେ ଷ୍ଟେସନ ମୁଖ୍ୟ ଫାଟକ ନିକଟରେ ଜାଲ ବିଛାଇ ବସିରହିଥିଲେ।ସଂଧ୍ୟାବେଳକୁ ୩ଜଣ ମହିଳା ଓ ୨ଜଣ ପୁରୁଷ ୬ଟି ବ୍ୟାଗ ଧରି ଅଟୋ ଷ୍ଟାଣ୍ଡରୁ ଷ୍ଟେସନ ଦିଗକୁ ଯିବାକୁ ଉଦ୍ୟତ ସମୟରେ ଚାରିଆଡୁ ପୋଲିସ ସେମାନଙ୍କୁ କାବୁ କରିନେଇ ଥାନାକୁ ଆଣିଥିଲେ।

ଗିରଫ ମହିଳା ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ହେଲେ ସବିତା ଦିଗାଲ(୫୩), ମିନତୀ ଦିଗାଲ(୫୦),କନକ ଦିଗାଲ(୨୬) ଏବଂ ଗିରଫ ପୁରୁଷ ଗଞ୍ଜେଇ ଚାଲାଣକାରୀ ହେଲେ ସୁରଜ ଦିଗାଲ(୨୯),ଅନୀଲ ଦିଗାଲ(୩୧)।ଏମାନେ ସମସ୍ତେ ଫୁଲବାଣୀ ଥାନା ଅନ୍ତର୍ଗତ ପିସୁ ପଦର ଗ୍ରାମର ବୋଲି ତଦନ୍ତ ସମୟରେ ଜଣାପଡିଛି। ହେଲେ ଏଇ କେତେଦିନ ହେବ ଗଞ୍ଜେଇ ଚୋରାଚାଲାଣ କରିବା ପାଇଁ ମାଫିଆମାନେ ନୂତନ ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି। ଏବେ ଏହି ବେପାର ଆଉ ଚାଲାଣ ପାଇଁ ସେମାନେ ପ୍ରାୟତଃ ମହିଳାମାନଙ୍କୁ ନିୟୋଜିତ କରୁଛନ୍ତି।ହେଲେ ଯେତେଯାହା ତରୀଖା କଲେ ମଧ୍ୟ ମୁନିଗୁଡା ଏସ୍ଡିପିଓ ଓ ଆଇଆଇସୀଙ୍କ ତୀକ୍ଷ୍ଣ ନଜରରୁ ଏହି ଗଞ୍ଜେଇ ମାଫିଆ ବର୍ତ୍ତିଯାଇ ପାରୁନାହାନ୍ତି। ମୁନିଗୁଡା ପୋଲିସ ଏହି ପାଞ୍ଚ ଗଞ୍ଜେଇ ବେପାରୀଙ୍କୁ ଗଞ୍ଜେଇ ସହିତ ଗିରଫ କରି କେଶ ନଂ୧୫/୨୩ରେ ଏନ୍ଡ଼ିପିସି ଆକ୍ଟ ୨୦ବିସି-୨୯ରେ ମାମଲା ରୁଜୁକରି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ମୁନିଗୁଡା ପୋଲିସର ଗଞ୍ଜେଇ ଚାଷ,ବେପାର ଓ ଚାଲାଣ ବିରୁଦ୍ଧରେ ଅଭିଯାନକୁ ସାଧାରଣରେ ପ୍ରସଂଶା ମିଳୁଥିବା ବେଳେ ଗଞ୍ଜେଇ ଗଡରେ କୋକୁଆ ଭୟ ଖେଳିଯାଉଛି।