ଚିଲିକା(ଦିବ୍ୟକାନ୍ତ ବେହେରା): ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଧାରଣା ଦିଆଯିବ । ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଦୁର୍ବ୍ୟବହାର କରୁଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ମାଡ ମରୁଥିବାର ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ ଉତ୍ତୋଳନ କରିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ଚିଲିକା ବିଧାୟକ ତାଙ୍କ ଠାରୁ ଜୋର ଜବରଦସ୍ତ ମୋବାଇଲ ଛଡେଇ ନେବା ସହ ତାଙ୍କୁ ଜାତିଆଣ ଉଦ୍ଦେଶ୍ୟରେ ଗାଳି ଗୁଲଜ ମଧ୍ୟ କରିଥିଲେ । ଏ ନେଇ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ଏତଲା ଦିଆଯାଇଥିଲା ।
ତେବେ ତ୍ୱରିତ କାର୍ୟ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ବିଜେପି କର୍ମୀଙ୍କ ମାମଲାକୁ ତୁରନ୍ତ ରୁଜୁ କରିଥିବା ବେଳେ ଚାରି ଦିନ ପରେ ମଧ୍ୟ ସାମ୍ବାଦିକ ଦେଇଥିବା ଏତଲାକୁ ରୁଜୁ କରିନାହିଁ । ସେପଟେ ଆଜି ପର୍ୟ୍ୟନ୍ତ ସାମ୍ବାଦିକ ନିଜ ମୋବାଇଲ ମଧ୍ୟ ଫେରି ପାଇ ନଥିବା ଜଣା ପଡିଛି । ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପାଖରୁ ଜଣେ ଜନ ପ୍ରତିନିଧି ମୋବାଇଲ ଛଡାଇନେବା ଏବଂ ଜାତିଆଣ ଭାବ ରଖି ଗାଳିଗୁଲଜକୁ ତୀବ୍ର ବିରୋଧ କରିଛି ଉତ୍କଳ ସାମ୍ବାଦିକ ସଂଘ । ଏହି ପରିପ୍ରେକ୍ଷୀରେ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଅନୁମୋଦନ ଏବଂ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସହମତି କ୍ରମେ ଯଥାଶୀଘ୍ର ସାମ୍ବାଦିକଙ୍କ ଏତଲା ରୁଜୁ ଏବଂ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତାକାଲି ଦିନ ୧୦ ଟାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ୟ୍ୟନ୍ତ ବାଲୁଗାଁ ଥାନାରେ ସଂଘର ଶତାଧିକ ସାମ୍ବାଦିକ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।