ସ୍କୁଲ ନିକଟରେ ଓଲଟି ପଡିଲା ବସ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅନ୍ତର୍ଗତ ଟୋଳକ ଏମ.ଇ ସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଛି ଯାତ୍ରୀବାହୀ ବସ । ତେବେ ଏତେ ବଡ ଦୁର୍ଘଟଣା ପରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁଯାୟୀ, ଜାମଦାରୁ ଗୋରୁମହିଷାଣି କାହୁତୁକା ଗାଁକୁ ଯାଉଥିବା ବେଳେ ବସରେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ତେଣୁ ଡ୍ରାଇଭର ନିଜ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ବସଟି ରାସ୍ତା କଡକୁ ଓଲଟି ପଡିଥିଲା । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି । ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁସ୍ଥ ଥିବା ଜଣାପଡିଛି । ଘଟଣାସ୍ଥଳରେ ଯଥାଶୀଘ୍ର ପଦକ୍ଷେପ ନିଆଯାଇଥିବାରୁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ୨୦ରୁ ଅଧିକ ଯାତ୍ରୀ ।