ପେଟ୍ରୋଲ ଦର ବୃଦ୍ଧି ସାଙ୍ଗକୁ ବଢିଲା ବସ ଭଡା : ଯାତ୍ରୀ ଅସନ୍ତୋଷ

(ସୋମ୍ୟ ରଂଜନ ସେଠୀ) ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୧୩ ପଇସା ରହିଥିବା ବେଳେ ଡିଜେଲ ଦର ୭୮ ଟଙ୍କା ୬୫ ପଇସା ରେ ପହଁଚିଛି । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ମାତ୍ରା ୨ ଟଙ୍କା ୨ଫରକ ରହିଛି । ବ୍ରହ୍ମପୁରରେ ପେଟ୍ରୋଲ ଦର ୮୧ ଟଙ୍କା ୦୬ ପଇସା ଓ ଡିଜେଲ ଲିଟର ପ୍ରତି ୭୯ ଟଙ୍କା ୫୯ ପଇସା ରହିଛି । ଯାଜପୁରରେ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ୨୪ ପଇସା ଓ ଡିଜେଲ ଲିଟର ପିଛା ୭୮ ଟଙ୍କା ୭୪ ପଇସା ହୋଇଛି । ସାରା ରାଜ୍ୟରେ ପେଟ୍ରୋଲ ଦର ଦିନକୁଦିନ ବୃଦ୍ଧି ହେବାରେ ଲାଗିଛି । ଏପଟେ ବସ ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର, ଯାହାକି ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ବସ୍‌ ଭଡ଼ା କିଲୋମିଟର ପିଛା ୨ ଓ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅର୍ଡିନାରୀ, ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୨ପଇସା ବଢ଼ି ଥିବା ସୂଚନା ମିଳିଛି । ସେହିପରି ଡିଲକ୍ସ, ଏସି ଡିଲକ୍ସ ବସ୍‌ କିଲୋମିଟର ପିଛା ୪ପିଇସା ବୃଦ୍ଧି ପାଇଛି । ପୂର୍ବରୁ ଅର୍ଡିନାରୀ ବସ୍‌ ଭଡ଼ା କିଲୋମିଟର ପିଛା ୭୦ପଇସା ଥିବା ବେଳେ ଏବେ ୭୨ ପଇସା ହୋଇଛି । ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟରକୁ ୭୩ ପଇସା ଥିବା ବେଳେ ଭଡ଼ା ବୃଦ୍ଧି ପାଇ ୭୫ ପଇସା, ଡିଲକ୍ସ ବସ୍‌ ଭଡ଼ା କିମିକୁ ଥିଲା ୧୦୧ ପଇସା ଏବେ ହୋଇଛି ୧୦୫ ପଇସା । ସେହିପରି ଏସି ଡିଲକ୍ସ ୧ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସା ହୋଇଛି । ଦିନକୁ ଦିନ ତେଲ ଦର ବୃଦ୍ଧି ନେଇ ଆରୋହୀମାନେ ହଇରାଣ ହେବା ସହିତ ଏବେ ସାଧାରଣ ବସ୍‌ ଯାତ୍ରୀମାନେ ବି ହଇରାଣ ହେବେ । ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।