ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଓ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ଏହି ସୁବିଧା ପାଇବେ । ଏହାସହିତ ରାଜ୍ୟର ୨୮ଟି ଜିଲ୍ଲାର ଜନସାଧାରଣ ଏହି କାର୍ୟ୍ୟକ୍ରମରେ ସାମିଲ ହେଲେ ।
ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ। ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲାରେ ୧୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ନୟାଗଡ ମାଟିର ଗୌରବ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତ ତଥା ସଂଗ୍ରାମୀ, ଶହୀଦ ରଘୁ ଦିବାକରଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସାରା ରାଜ୍ୟରେ ପିଇବା ପାଣି ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୟାଗଡରେ ୧୦୦୦ କୋଟି ଟଙ୍କା ବିନିଯୋଗରେ ଏକ ମେଗା ପାଇପ ପାଣି ପ୍ରକଳ୍ପ କାର୍ୟ୍ୟକାରୀ କରାଯିବ ଏବଂ ଏହାଦ୍ବାରା ଜିଲ୍ଲାର ୮ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ । ନୟାଗଡର ମିଶନ ଶକ୍ତିର ମା ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ବିଜିନେସ୍ରେ ସୁବିଧା ପାଇଁ ୧୬୪ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମଧ୍ୟ ଜିଲ୍ଲାରେ ଭଲ କାମ ହେଉଛି ବୋଲି କହିଥିଲେ । ସେହିପରି ଜଗତସିଂହପୁରରେ ଅଧିଷ୍ଠାତ୍ରୀ ଦେବୀ ମା ସାରଳାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ।
ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍ମେଣ୍ଟ ପର୍ୟ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏହି କାର୍ୟ୍ୟକ୍ରମରେ ନୟାଗଡରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜଗତସିଂହପୁରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।