କଟକ/ ଚନ୍ଦ୍ରଶେଖର ପତି : କଟକର ପ୍ରାକୃତିକ ମନୋରଞ୍ଜନର ଏକ ପ୍ରମୁଖ ଆକର୍ଷଣ ସ୍ଥାନ ହରିଣ ପାର୍କକୁ କଟକରୁ ସ୍ଥାନାନ୍ତରିତ ହେବା ନେଇ ତଥା କଟକକୁ ଶ୍ରୀହୀନ କରିବା ବିରୁଦ୍ଧରେ ଆଜି ବିଜେପି କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କ୍ୟାଣ୍ଟନ ମେଣ୍ଟ ଥାନା ନିକଟ ହରିଣ ପାର୍କ ନିକଟରେ ଏକ ପ୍ରତିବାଦ ସଭା ହୋଇଥିଲା । କଟକରେ ଦୀର୍ଘ ଦିନରୁ ପିଲା ଠାରୁ ବୁଢ଼ା ଯାଏ ସଭିଙ୍କୁ ମିନି ନନ୍ଦନକାନନ ର ଆନନ୍ଦ ଦେଉଥିବା ହରିଣ ପାର୍କ ରେ ହରିଣ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ କଟକରେ ହିଁ ଅନ୍ୟତ୍ର ରଖାଯାଉ ବୋଲି ବିଜେପି ଦାବୀ କରିଥିଲା । କଟକରେ ହାଡ଼ିଆ ପଠା, ଭୁଆସୁଣୀ ପଠା, ସିଡିଏ ଅଞ୍ଚଳରେ ରେ ଅନେକ ଖାଲି ସ୍ଥାନ ଅଛି, ସେଠାକୁ ବ୍ୟବସ୍ଥା କରି ସ୍ଥାନାନ୍ତରିତ କରାଯାଉ କିନ୍ତୁ କଟକରୁ ଏହା ଉଠି ନଯାଉ ଏବଂ ଏହି ପାର୍କରୁ ହରିଣ ସଂଖ୍ୟା ଅଳ୍ପ ରଖାଯାଉ ପଛେ ଏହାର ସ୍ଥାନାନ୍ତର ନହେଉ ବୋଲି ବକ୍ତାମାନେ ଦାବୀ କରିଥିଲେ । ସମ୍ବେଦନ ଶୀଳ ଘଟଣାରେ ସ୍ଥାନୀୟ ମହିଳା ମାନେ ମଧ୍ୟ ଏହି ସଭାକୁ ଆସି ଭୋ ଭୋ ହୋଇ କାନ୍ଦିଥିଲେ ହରିଣ ପାର୍କ ଉଠାନଯାଉ ବୋଲି ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ।