ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର:  ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଆଜି ଜଗନ୍ନାଥ ବିଧିବଦ୍ଧ ଭାବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନ ଭାଜପାର ମମତା ମହାନ୍ତ ଜଣେ ମାତ୍ର ପ୍ରାର୍ଥୀ ଭାବେ ରାଜ୍ୟ ସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ରାଜ୍ୟ ସଭା ପାଇଁ ମମତାଙ୍କ ନାଁ ଭାଜପା ଘୋଷଣା କରିବା ପରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମମତା ନାମାଙ୍କନ ଦାଖଲ କରିଥିଲେ। ହେଲେ ମମତାଙ୍କ ନାମାଙ୍କନ ଦାଖଲ କରିବାର କିଛି ସମୟ ପରେ ଜଗନ୍ନାଥ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ।

ସୂଚନା ଅନୁଯାୟୀ, ଗତ ସାଧାରଣ ନିର୍ବାଚନରେ ଜଗନ୍ନାଥ ଭୁବନେଶ୍ୱର ମଧ୍ୟ ଆସନରୁ ଭାଜପାର ପ୍ରାର୍ଥୀ ହୋଇଥିଲେ। ହେଲେ ସେ ୩୭ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ତେବେ ରାଜ୍ୟରେ ଭାଜପାର ବିଧାୟକ ସଂଖ୍ୟାକୁ ଦୃଷ୍ଟି ଦେଲେ ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହାନ୍ତ ରାଜ୍ୟସଭା ଯିବା ଏକ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି ।