ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ

ଭୁବନେଶ୍ୱର: ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଗତ ୨୧ ତାରିଖ ଦିନ ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଧାନସଭାରେ ପହଞ୍ଚି ସାର୍ଟିଫିକେଟ ନେଇଛନ୍ତି ମମତା ମହାନ୍ତ।

 ସୂଚନା ଅନୁଯାୟୀ, ଜୁଲାଇ ୩୧ରେ ମମତା ରାଜ୍ୟସଭା ସଦସ୍ୟ ପଦ ଏବଂ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ଛାଡ଼ିବାର ଦିନକ ପରେ ନୂଆଦିଲ୍ଲୀରେ ବିଜେପିରେ ସାମିଲ ହୋଇଥିଲେ ମମତା ମହାନ୍ତ । ଦିଲ୍ଲୀ ସ୍ଥିତି ପାର୍ଟି ମୁଖ୍ୟାଳୟରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଏବଂ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅରୁଣ ସିଂହ ତାଙ୍କୁ ଦଳର ସଦସ୍ୟତା ଦେଇଥିଲେ । ଏହା ଉପରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଥିଲା । ମମତା ମହାନ୍ତ ବିଜେଡିରେ ଥାଇ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ରେ ତାଙ୍କର କାର୍ଯ୍ୟକାଳ ସରିଥାନ୍ତା । ତେବେ କାର୍ଯ୍ୟକାଳ ଶେଷ ହେବାର ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ମମତାଙ୍କ ଇସ୍ତଫା ପରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୮କୁ ହ୍ରାସ ପାଇଛି ।