ଭୁବନେଶ୍ଵର: ଓଡ଼ିଶାର ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ଵର ହୋତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପରେ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନାମାଙ୍କନ ଭରିଥିବା ଦୁଇଜଣ ପ୍ରାର୍ଥୀଙ୍କୁ ସେ ସ୍ବାଗତ କରୁଛନ୍ତି। ଏହି ସମୟରେ ତାଙ୍କୁ ସମ୍ଭାବ୍ୟ ରାଜନୈତିକ ମେଣ୍ଟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏଥିରେ ନବୀନ ପଟ୍ଟନାୟକ କହିଥିଲେ, “ଭବିଷ୍ୟତ କ’ଣ ହେବ ସେକଥା ସମୟ କହିବ।” ତାଙ୍କ ଏହି ମତାମତ ପରେ ରାଜନୈତିକ ମହଳରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଆଗାମୀ ଦିନରେ ମେଣ୍ଟ ସମ୍ଭାବନା ନେଇ ଚର୍ଚ୍ଚା ଜୋର୍ ଧରିଛି।
ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା ନାମାଙ୍କନ ଭରିବା ବେଳେ ବିଜେଡି ଓ କଂଗ୍ରେସର ଅନେକ ସଦସ୍ୟ ଉପସ୍ଥିତ ଥିଲେ। ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ସମର୍ଥନରେ ଡ଼. ଦତ୍ତେଶ୍ୱର ହୋତା ସାଧାରଣ ପ୍ରାର୍ଥୀ ଭାବେ ମୁକାବିଲା କରୁଛନ୍ତି। ଅନ୍ୟପଟେ ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ୍ କୁମାର ପ୍ରାର୍ଥୀ ହୋଇଥିବାବେଳେ ଚତୁର୍ଥ ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ (ବିଜେପି ସମର୍ଥନରେ) ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଭରିଛନ୍ତି। ଏହି ପରିସ୍ଥିତିରେ ଚତୁର୍ଥ ଆସନ ପାଇଁ ରାଜ୍ୟସଭା ନିର୍ବାଚନରେ ରୋଚକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ୨୦୨୬ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ।