ନାବାଳିକାକୁ ପୋଡିଦେବା ଘଟଣା: ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍

ଭୁବନେଶ୍ଵର: ଗଭୀର ନିଦ୍ରାରୁ ଉଠିବାକୁ କହି ରାଜ୍ୟ ସରକାରଙ୍କୁ ନବୀନଙ୍କ ନିଶାନା ବାଣ । ପିପିଲି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବାଲେଶ୍ବର ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଏକ ଘଟଣାରେ ମର୍ମାହତ । ମହିଳାମାନଙ୍କ ବିରୋଧରେ ଏପରି ଘଟଣା ଏବେ ପ୍ରାୟ ପ୍ରତିଦିନ ଘଟୁଛି । ସରକାରୀ ନିଷ୍କ୍ରିୟତା, ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ମହିଳା ଅସୁରକ୍ଷିତ । ଓଡ଼ିଶା ସରକାର ଗଭୀର ନିଦ୍ରାରୁ ଉଠି ଅପରାଧୀଙ୍କୁ ଗିରଫ କରିବେକି ବୋଲି କହି ରାଜ୍ୟ ସରକାରଙ୍କୁ ନିଶାନା ବାଣ ମାରିଲେ ବିରୋଧି ନେତା ।

‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ନବୀନ ଲେଖିଛନ୍ତି,  ଦିବାଲୋକରେ ହତ୍ୟା ପ୍ରୟାସ ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ମର୍ମାହତ ହୋଇଛି । ବାଲେଶ୍ବର ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଏକ ଘଟଣା ମତେ ମର୍ମାହତ କରିଛି । ମହିଳାମାନଙ୍କ ବିରୋଧରେ ଏପରି ଘଟଣା ଏବେ ପ୍ରାୟ ପ୍ରତିଦିନ ଘଟୁଛି ।ସରକାରୀ ନିଷ୍କ୍ରିୟତା, ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ମହିଳା ଅସୁରକ୍ଷିତ ହୋଇପଡିଛନ୍ତି । ଓଡ଼ିଶା ସରକାର ଗଭୀର ନିଦ୍ରାରୁ ଉଠି ଅପରାଧୀଙ୍କୁ ଗିରଫ କରିବେକି ବୋଲି ପୋଷ୍ଟରେ ଲେଖିଛନ୍ତି ନବୀନ ।

ସୂଚନାନୁସାରେ, ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ବାୟାବର ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା କୌଣସି କାମରେ ଗୋପାଳପୁର ଗାଁକୁ ଯାଇ ଘରକୁ ଫେରୁଥିଲେ।ଏହି ସମୟରେ ୩-୪ ଜଣ ଦୁର୍ବୃତ୍ତ ତାଙ୍କ ମୁହଁରେ କପଡ଼ା ଦେଇ ଉଠାଇ ନେଇଥିଲେ। ନିକଟସ୍ଥ ନଦୀବନ୍ଧ ଉପରେ ନାବାଳିକା ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଝିଅଟି ଜୀବନ ବିକଳରେ ଏଣେ ତେଣେ ଧାଇଁବାକୁ ଆରମ୍ଭ କରିଥିଲା। ଜଣଙ୍କ ଘର ସାମ୍ନାରେ ପଡ଼ି ବଞ୍ଚାଇବାକୁ ଗୁହାରୀ କରିଥିଲେ। ଏହା ପରେ ଉକ୍ତ ଘରର ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। କିଛି ଦୁର୍ବୃତ୍ତ ତାଙ୍କୁ ମାରିଦେବାକୁ ଚେଷ୍ଟା କରୁଥିଲେ ବୋଲି ନାବାଳିକା ଜଣକ ଉକ୍ତ ଘର ଲୋକଙ୍କୁ କହିଥିଲେ। ବଳଙ୍ଗା ଥାନା ପୋଲିସ ତନାଘନା ଆରମ୍ଭ କରିଛି।