ବିହାର: ପୁଣି ଅଲୋଡା ଶିଶୁ କନ୍ୟା । ମାଟି ତଳୁ ବାହାରିଲା ଜୀବନ୍ତ ଶିଶୁ କନ୍ୟା । ନିଜ ଝିଅକୁ ଶ୍ମସାନ ମାଟି ତଳେ ଜୀବନ୍ତ ସମାଧି ଦେଇଥିଲା ମାଆ । ମାଆ ସିନା ମାରି ଦେଉଥିଲା ହେଲେ ତାକୁ ରକ୍ଷା କରିଛନ୍ତି ଭଗବାନ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବିହାରର କୋପା ପୋଲିସ ଷ୍ଟେସନ ଅନ୍ତର୍ଗତ ମାରହା ନଦୀ କୂଳରେ ଏକ ଶ୍ମସାନରେ । ନିଜ ଝିଅକୁ ଜୀବନ୍ତ ପୋତି ଦେବା ପରେ ଅଭିଯୁକ୍ତ ମାଆ ଫେରାର ହୋଇଯାଇଛି । କେବଳ ଜନ୍ମକଲା ମାଆ ନୁହେଁ ବରଂ ଜେଜେମା ବି ସାମିଲ ଥିଲା ଏହି ଘଟଣାରେ ।
ସବୁଠୁ ବଡ କଥା ହେଲା ଯେ, ପୋତିଦେବା ପରେ ମଧ୍ୟ ଝିଅଟି ବଞ୍ଚିଥିଲା ଓ ତାର ନିଶ୍ୱାସପ୍ରଶ୍ୱାସ ଚାଲିଥିଲା । ତେବେ ମାଟି ତଳେ ପୋତି ହେବା ପରେ ଭୂମି ହଲଚଲ ହୋଇଥିଲା । ଯାହାକୁ ଗାଁ ଲୋକେ ଦେଖି ଝିଅଟିକୁ ଉଦ୍ଧାର କରିଥିଲେ ।
ଉଦ୍ଧାର ପରେ ମୃତ୍ୟୁକୁ ଜୟ କରିଥିବା ସେହି ୩ ବର୍ଷର ନିଷ୍ପାପ ଶିଶୁ ବଖାଣିଛି ଲୋମଟାଙ୍କୁରା କାହାଣୀ । ତାକୁ ହତ୍ୟାକରିବାକୁ ଚେଷ୍ଟା କରିଥିବା ମଣିଷ କେହି ନୁହେଁ ଖୋଦ ତା ଜନ୍ମ କଲା ମାଆ ଆଉ ଜେଜେମା । ସେ କହିଛି ଯେ, ମୋ ମାଆ ଆଉ ଜେଜେ ମାଆ ମୋତେ ସମାଧି ନିକଟକୁ ଆଣିଥିଲେ । ମୁଁ କାନ୍ଦୁଥିବା ବେଳେ ମୋ ପାଟିରେ ମାଟି ଭର୍ତ୍ତି କରି ମାଟି ତଳେ ପୋତି ଦେଇଥିଲେ । ତେବେ ଶ୍ମସାନରେ କିଛି କାମ ପାଇଁ ଯାଇଥିଲେ ଲୋକେ । ସେଠାରେ ମାଟି ଥରୁଥିବାର ଦେଖି ଭୟଭୀତ ହୋଇ ପଡିଥିଲେ ଲୋକେ । ପରେ ତାକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ତେବେ କୁନି ଝିଅଟି ନିଜ ଗାଁର ନାମ ପୋଲିସକୁ କହିପାରୁ ନାହିଁ । ହେଲେ ଖୁବ ଶିଘ୍ର ସେମାନଙ୍କ ପତା ଲଗାଇବ ବୋଲି କହିଛି ପୋଲିସ ।