Bihar Election: ବିହାର ବିଧାନସଭା ନିର୍ବାଚନରେ ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଆରମ୍ଭ । ୨୦ ଜିଲ୍ଲାର ୧୨୨ ସିଟ୍ରେ ଚାଲିଛି ଲଢ଼େଇ । ମଇଦାନକୁ ଓହ୍ଲାଇଛନ୍ତି ୧୩୦୨ ପ୍ରାର୍ଥୀ । ୪୫,୩୯୯ ବୁଥ୍ରେ ଭୋଟ୍ ଦେବେ ୩ କୋଟି ୭୦ ଲକ୍ଷ ଭୋଟର । ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ ।

ଚୂଡ଼ାନ୍ତ ପର୍ଯ୍ୟାୟରେ ସୀମାଞ୍ଚଳ, ମଗଧ, ଶାହବାଦ, କୋସି ଏବଂ ମିଥିଳାଞ୍ଚଳରେ ଭାରତ-ନେପାଳ ସୀମା ସଂଲଗ୍ନ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ଭୋଟଗ୍ରହଣ ହେବ , ମତଦାନ ପ୍ରକ୍ରିୟା ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ପର୍ଯ୍ୟନ୍ତ ଚାଲିବ । ତେବେ ସୁରକ୍ଷା କାରଣ ପାଇଁ ୭ଟି ନିର୍ବାଚନମଣ୍ଡଳୀ ତଥା ଚଇନପୁର, ଗୋବିନ୍ଦପୁର, ରାଜୌଲି, ଜାମୁଇ, ସିକନ୍ଦରା, ଚକାଇ ଏବଂ ଝାଝାରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହେବ ।

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟାରେ ମତଦାନ ହୋଇଥିଲା । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ସଂଧ୍ୟା ୬ଟା ସୁଦ୍ଧା ୬୪.୬୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା । ନିର୍ବାଚନ କମିଶନ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ଭୋଟିଂ ହୋଇଥିବା କହିଥିଲେ । ଏହା ପୂର୍ବରୁ ୨୦୦୦ରେ ବିହାରରେ ୬୨ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ବର୍ଷ ଭୋଟିଂ ୬୪ ପ୍ରତିଶତରୁ ଅଧିକ ହୋଇଛି । ଏହା ଇତିହାସରେ ସର୍ବାଧିକ ଭୋଟିଂ । ୨୦୨୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ୫୭ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ପ୍ରତିଶତ ଅଧିକ ରହିଲେ ଏହି ନିର୍ବାଚନ ଇତିହାସରେ ଲିପିବଦ୍ଧ ହୋଇଯିବ ।