ଭୁବନେଶ୍ୱର: ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଲୋକସେବା ଭବନ କନଭେନସନ ହଲ୍ରେ ଶୁଭାରମ୍ଭ ହେଲେ ‘ଓଡ଼ିଶା ଟେକ୍ସ ୨୦୨୫’। ଏହି ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଶିଳ୍ପପତି ଯୋଗ ଦେଇଛନ୍ତି।
ଟେକ୍ସାଟାଇଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଜୁରୀ ରିହାତି ମାସକୁ ଏକ ହଜାର ଟଙ୍କା ବୃଦ୍ଧି କରାଯାଇଛି। ଏହା ଦ୍ୱାରା ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ମାସକୁ ୫ ହଜାର ବଦଳରେ ୬ ହଜାର ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ଓଡିଶା ଟେକ୍ସଟାଇଲ କନ୍କ୍ଲେଭ୍ରେ ଏହା ଘୋଷଣା କହିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଏବଂ ଭଦ୍ରକ ଠାରେ ଦୁଇଟି ଟେକ୍ସଟାଇଲ ଓ ଫୁଟ୍ୱିୟର ପାର୍କର ଲୋକାର୍ପଣ କରିଥିଲେ। ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଓ-ଟେକ୍ସ ୨୦୨୫ ହେଉଛି ରାଜ୍ୟର ପ୍ରଥମ ଟେକ୍ସଟାଇଲ ଓ ଆପାରେଲ କନ୍କ୍ଲେଭ୍। ଆଜିର କନ୍କ୍ଲେଭ୍ରେ ୧୬୦ରୁ ଅଧିକ ବୃହତ ଓ ନୂତନ ଉଦ୍ୟୋଗୀ ଯୋଗଦେଇଥିଲେ। ବିଶ୍ୱର ନାମୀଦାମୀ ବ୍ରାଣ୍ଡ Page Industries, First Step Baby Wear, KPR Mills, Sportking, Adarsh Knitwear, Anubhav Apparels, Bon & Co., and B.L. ପ୍ରମୁଖ ଏହି କନ୍କ୍ଲେଭ୍ରେ ଅଂଶଗ୍ରହଣ କରିଥିଲେ ଓ ଦେଶର ବୟନ ଓ ପୋଷାକ ଶିଳ୍ପକ୍ଷେତ୍ରର ପ୍ରାୟ ସମସ୍ତ ଶିଳ୍ପପତି ଉପସ୍ଥିତ ଥିଲେ। ଏହା ପୂର୍ବଭାରତର ସର୍ବବୃହତ ଟେକ୍ସଟାଇଲ କନ୍କ୍ଲେଭ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସପ୍ତାହକୁ ଯେକୌଣସି ଗୋଟିଏ ଦିନ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପରିଧାନ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଏହି କନ୍କ୍ଲେଭ୍ରେ ମୋଟ୍ ୩୩ଟି ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ, ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଆସିଛି। ଏହା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟରେ ୫୩,୩୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏହା ସହିତ ପ୍ରତିବର୍ଷ ଏହି କନକ୍ଲେଭ ଆୟୋଜନ କରିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଓଡିଶାର ବସ୍ତ୍ର ଶିଳ୍ପ ବହୁତ ପ୍ରାଚୀନ। ଆମ ସଂସ୍କୃତି ଏବଂ ପରମ୍ପରା ସହିତ ଆମ ପୋଷାକ ଓ ପରିଧାନ ଜଡିତ ହୋଇ ରହିଛି। ପଶ୍ଚିମ ଓଡିଶାର ପାରମ୍ପାରିକ ବସ୍ତ୍ର ପ୍ରସ୍ତୁତି ପ୍ରକ୍ରିୟା, ବ୍ରହ୍ମପୁରର ରେଶମ, ଗଜପତି, କେନ୍ଦୁଝରର ଟସର ଏବଂ ମାଣିଆବନ୍ଧ ସୂକ୍ଷ୍ମକଳାର ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସମସ୍ତ ପୋଷାକର ପ୍ରଚାର ପ୍ରସାର ମାଧ୍ୟମରେ ଓଡିଶାକୁ ଟେକ୍ସଟାଇଲ ହବ୍ କରିବା ପାଇଁ ଆମ ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟରେ ଟେକ୍ସଟାଇଲ କ୍ଷେତ୍ରରେ ୫ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିବା ସହିତ ୫ଟି ଟେକ୍ସଟାଇଲ ଓ ଆପାରେଲ୍ ପାର୍କ ବିକଶିତ କରିବା ଦିଗରେ ଆମ ସରକାର ଯୋଜନା କରୁଛନ୍ତି।ସେ ପୁଣି କହିଥିଲେ ଓଡିଶା ପୁଞ୍ଜିନିବେଶକାରୀ ମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି। ଚଳିତ ଆର୍ଥିକ ବର୍ଷରେ ଦେଶର ସମୁଦାୟ ଘରୋଇ ନିବେଶର ୪୦ ପ୍ରତିଶତ ଓଡିଶାକୁ ଆସିଛି। ଏହା ବିଶ୍ୱର ଉଦ୍ୟୋଗ ଜଗତର ଆମ ସରକାରଙ୍କ ଉପରେ ଥିବା ଆସ୍ଥାକୁ ଦର୍ଶାଉଛି। ଏହା ଭରସାକୁ ଅତୁଟ ରଖିବା ଦିଗରେ ଆମର ଉଦ୍ୟମ ଜାରି ରହିବ।