ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି । ସରକାର ଲଗାଇବେ ସ୍ମାର୍ଟ ମିଟର । ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥା କାର୍ଯ୍ୟକାରୀ ହେବ । କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଉପଭୋକ୍ତାଙ୍କ କାନ୍ଧରେ କମ୍ ହେବ ଖର୍ଚ୍ଚ ଭାର । ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା-ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ନୂଆ କରି ଲାଗିବାକୁ ଥିବା ସ୍ମାର୍ଟ ମିଟର ପାଇଁ ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡ଼ିବ ନାହିଁ । ଏବେ ସ୍ମାର୍ଟ ମିଟର ଲଗାଇବାକୁ ଆଉ କୌଣସି ଖର୍ଚ୍ଚ କରିବାକୁ ପଡ଼ିବନି । ୨ କିଲୋୱାଟ୍ ଯାଏଁ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସ୍ମାର୍ଟ ମିଟର ଲଗାଇବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । କେବଳ ସେତିକି ନୁହେଁ, ଖୁଚୁରା ଯୋଗାଣ ଟାରିଫ୍ ବା ସେମାନଙ୍କର ବିଦ୍ୟୁତ୍ ବିଲ୍ ଶୁଳ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଶକ୍ତି ବିଭାଗ କହିଛି । କିନ୍ତୁ ଏହି ସ୍ମାର୍ଟ ମିଟର ଉପରେ ପ୍ରଶ୍ନ ଉଠାଇଲେଣି ଶକ୍ତି ସମୀକ୍ଷକ । ଏହାଦ୍ୱାରା ରାଜ୍ୟର ପ୍ରାୟ ୮୭ ପ୍ରତିଶତ ବିଦ୍ୟୁତ ଉପଭୋକ୍ତା ଲାଭବାନ ହେବେ । ୨୦୨୬-୨୭ ଆର୍ଥିକ ବର୍ଷରୁ ଓଇଆରସି ଦ୍ୱାରା ଅନୁମୋଦିତ ଟାରିଫ ଜରିଆରେ ସ୍ମାର୍ଟ ମିଟର ସ୍ଥାପନ କାମ ଆଗକୁ ବଢ଼ାଯିବ । ସ୍ମାର୍ଟ ମିଟର ଏକ ଚିପ୍ ବେସଡ୍ ମିଟର । ଯାହାଦ୍ୱାରା ଉପଭୋକ୍ତାଙ୍କୁ ସବୁ ଅପଡେଟ୍ ମୋବାଇଲ ମେସେଜରେ ମିଳିବ । ବିଦ୍ୟୁତ ଶୁଳ୍କକୁ ନେଇ ଅନେକ ଦ୍ବନ୍ଦ୍ବରେ ଉପଭୋକ୍ତା । କେତେବେଳେ ଆଶ୍ଚର୍ଯ୍ୟଜନକ ଭାବେ ବିଲ ବଢିଯାଉଛି ତ ପୁଣି କେତେବେଳେ ଅତିରିକ୍ତ ସୁରକ୍ଷା ଦେୟ ଚିନ୍ତା ବଢାଉଛି । ଏଭଳି ସମୟରେ ସ୍ମାର୍ଟ ମିଟର ଲଗାଇ ସାଧାରଣ ଉପଭୋକ୍ତାଙ୍କୁ ଅଧିକ ଦ୍ବନ୍ଦ୍ବରେ ନପକାଇବାକୁ ପରାମର୍ଶ ଦେଇଛି ଉପଭୋକ୍ତା ।