ପୋଲିସ ଆଉ କିନ୍ନର ଭିତରେ….

ଗୋପ (ଜୟନ୍ତ କୁମାର ସେଠୀ): ପୁରୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କିନ୍ନର ଓ ପୋଲିସ ମଧ୍ୟରେ ହୋଇଛି ହାତାହାତି । ଏଭଳି ଘଟଣା ଗତକାଲି ବିଳମ୍ବିତ ରାତିରେ ପୁରୀ ସମୁଦ୍ରକୂଳ ଥାନା ସୁବାଷ ବୋଷ ଛକ ନିକଟରେ ଦେଖିବାକୁ ମିଳିଛି । ଭିଡିଓରେ ଦୁଇଜଣ କିନ୍ନରଙ୍କ ସହ ପୋଲିସ କର୍ମଚାରୀମାନଙ୍କର ମାରପିଟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।
ବିଳମ୍ବିତ ରାତିରେ ବୁଲୁଥିବାରୁ କିନ୍ନର ମାନଙ୍କୁ ସୁବାଷ ବୋଷ ଛକ ନିକଟରେ ପୋଲିସ ଅଟକାଇଥିଲା । ତେବେ ପୋଲିସ ସେମାନଙ୍କୁ କାହିଁକି ଅଟକାଇଥିଲେ ବୋଲି ସେମାନେ ପ୍ରଶ୍ନ କରିବା ସହ ଏହାକୁ ବିରୋଧ କରିଥିଲେ । ଏହାପରେ ଘଟଣାସ୍ଥଳରେ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ । ଉଭୟ କିନ୍ନର ଓ ପୋଲିସଙ୍କ ମଧ୍ୟରେ ବଚସା ଏବଂ ପରେ ହାତାହାତି ଯାଏଁ କଥା ଯାଇଥିଲା । ହାତାହାତିରେ ପୋଲିସ ଓ କିନ୍ନର ଉଭୟ ଆହତ ହୋଇଛନ୍ତି । ଉଭୟ କିନ୍ନରଙ୍କୁ ସମୁଦ୍ର କୂଳ ଥାନାରେ ଅଟକ ରଖାଯିବା ସହ ଘଟଣାର ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି । ତେବେ କିନ୍ନରଙ୍କ ସହ ପୋଲିସର ଏଭଳି ଧସ୍ତାଧସ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପୁରୀ ସହରରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।