ଭୁବନେଶ୍ୱର: ରାଜ୍ୟରେ ୨୨ ବର୍ଷ ଧରି ଚାଲିଥିବା ନବୀନ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯାହାକୁ ନେଇ ସରକାରଙ୍କୁ ସବୁବେଳେ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡୁଛି। ସରକାର ସବୁବେଳେ ଭୋଟ ହାତେଇବା ପାଇଁ ରାଜ୍ୟରେ ଯୋଜନା ପ୍ରଣୟନ କରୁଥିବା ବିରୋଧୀ ସବୁବେଳେ ଅଭିଯୋଗ କରୁଛନ୍ତି। ମୌସୁମୀ ଅଧିବେଶନର ଚତୁର୍ଥ ଦିବସରେ ବିଧାୟକ ଭବାନୀ ଶଙ୍କର ଭୋଇ ରାଜ୍ୟ ସରକାର ୨୦୧୦ରୁ ୨୦୨୨ ମଧ୍ୟରେ କେତୋଟି ଯୋଜନା ପ୍ରଣୟନ କରିଛନ୍ତି? କେତୋଟି ଯୋଜନା ବନ୍ଦ କରିଛନ୍ତି ସେନେଇ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଡୋଲକଆଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ ଶ୍ରୀ ଢୋଲକିଆ ୨୦୧୦-୨୦୨୨ ମଧ୍ୟରେ ରାଜ୍ୟ ସରକାର ୩୧ଟି ଯୋଜନା ପ୍ରଣୟନ କରିଛନ୍ତି। ୨୦୧୭ ଓ ୨୦୧୮ ମସିହାରେ ସରକାର ସର୍ବାଧିକ ୧୬ଟି ଯୋଜନା ପ୍ରଣୟନ କରିଥିଲେ।

୨୦୧୯ ନିର୍ବାଚନ ପରେ କିଛି ଯୋଜନା ବନ୍ଦ ହୋଇଯାଇଥିବା ମନ୍ତ୍ରୀ ଉତ୍ତରରେ କହିଥିଲଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ଥର କ୍ଷମତାକୁ ଆସିବାର ବର୍ଷକ ପରେ ୨୦୧୦ରେ ପ୍ରଥମେ ବିଜୁ ସହରାଞ୍ଚଳ ବିଦ୍ୟୁତୀକରଣ ଯୋଜନା ପ୍ରଣୟନ କରିଥିଲେ। ସାମ୍ବାଦିକଙ୍କ ଲାଗି ସାମ୍ବାଦିକ ପେନସନ ଓ ବୀମା ଯୋଜନା କାର୍ଯ୍ୟକାରୀ କରିଥିଲେ। ବିଜୁ ସେତୁ ଯୋଜନା ୨୦୧୧ରେ ପ୍ରଣୟନ କରାଯାଇଥିଲା। ସେହିପରି ୨୦୧୨ରେ ଗର୍ଭବତୀ ମହିଳାଙ୍କ ଲାଗି ମମତା, ଆମ ଜଙ୍ଗଲ ଯୋଜନା କାର୍ଯ୍ୟକାରୀ କରିଥିଲେ। ୨୦୧୩ ବିଜୁ ଯୁବ ସଶକ୍ତିକରଣ ଯୋଜନା ପ୍ରଣୟନ କରାଯାଇଥିଲା। ଯୋଜନାରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ ପ୍ରଦାନ କରାଯାଇଥିଲା।

୨୦୧୫ରେ ଆହାର ଯୋଜନା ୨୦୧୬ରେ ବିଜୁ କନ୍ୟା ରତ୍ନ ଯୋଜନା, ୨୦୧୭ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ବସୁଧା ଯୋଜନା, ୨୦୧୮ରେ ବିଜୁ ଯୁବ ବାହିନୀ, ଆମ ଗାଁ ଆମ ବିକାଶ, ଚାଷୀଙ୍କ ଲାଗି କାଳିଆ ଯୋଜନା, ୨୦୨୦ରେ ବର୍ଷା ଜଳ ସଂରକ୍ଷଣ ଯୋଜନା, ୨୦୨୧ରେ ସୋପାନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ସୂଚନା ଅନୁସାରେ ବିଜୁ ଯୁବ ବାହିନୀ ଓ ଆମ ଗାଁ ଆମ ବିକାଶ ଯୋଜନା ୨୦୧୯ ନିର୍ବାଚନ ପରେ ବନ୍ଦ ହୋଇଯାଇଛି। ଏହାଛଡା କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରସ୍ତ ନେଇ ରାଜ୍ୟରେ ବିରୋଧୀ ଦଳ ଓ ଉପଭୋକ୍ତା ତୁମ୍ବି ତୋଫାନ କରିଥିଲେ। ଫଳରେ ସରକାର ଏଥିରୁ ଓହରି ଯିବା ପାଇଁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା କାଳିଆ ଯୋଜନା ଚାଲୁ ରହିଥିବା ଜଣାପଡିଛି।