ଘରେ ପଶିଲା ଭାଲୁ

ମାଲକାନାଗିରି: ମାଲକାନାଗିରି ଏମ.ଭି-୭ ଗାଁରେ ମାତିଛି ଭାଲୁ । ତମସା ପଞ୍ଚାୟତର ଏମ.ଭି-୭ ଗାଁରେ ଦୁଇଟି ଭାଲୁ ଗତ କିଛି ଦିନରୁ ଆତଙ୍କ ଖେଳାଇଛନ୍ତି । ସନ୍ଧ୍ୟା ହେଲେ ଗାଁରେ ପଶି ଲୋକଙ୍କ ଘର କାନ୍ଥ ଭାଙ୍ଗିବା ସହିତ ଘରେ ଥିବା ଖାଦ୍ୟ ଶସ୍ୟ ନଷ୍ଟ କରୁଥିବା ଦେଖିବାକୁ ମିଳିଛି ।
ଗତକାଲି ରାତିରେ ଗୋଟିଏ ଭାଲୁ ଏମ.ଭି-୭ ଗାଁର ଜଣଙ୍କ ଘରେ ପଶି ଯାଇଥିଲା । ତେବେ ଭୟରେ ଆତଙ୍କିତ ହୋଇ ଘର ବାହାରକୁ ଚାଲି ଯାଇଥିଲେ । ଭାଲୁଟି ରୋଷେଇ ଘରୁ ସବୁ ଖାଦ୍ୟ ସାମଗ୍ରୀ ଖାଇବା ସହ ଅନେକ ଜିନିଷ ନଷ୍ଟ କରିଥିବା ଜଣାଯାଇଛି । ଜଙ୍ଗଲୀ ଭାଲୁ ଭୟରେ ରାତି ହେଲେ ଗ୍ରାମବାସୀ କବାଟ ଦେଇ ଘରେ ଲୁଚି ରହୁଥିବା ଦେଖାଯାଉଛି । ତେବେ କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ ଏହି ଭାଲୁକୁ କାବୁ କରିବା ପାଇଁ ସାଧାରଣରେ ଦାବି ହୋଇଛି ।