ଭୁବନେଶ୍ୱର:- ରାଜଧାନୀ ହେବ ବସ୍ତି ମୁକ୍ତ । ଏନେଇ ଅଣ୍ଟା ଭିଡ଼ିଛି ନଗର ଉନ୍ନୟନ ବିଭାଗ । ରାଜଧାନୀରେ ଆଉ ୨୫ ହଜାର ଆବାସ ନିର୍ମାଣ କରିବାକୁ ଯୋଜନା ହୋଇଛି । ଏନେଇ ମିଳିତ ଭାବେ ବିଡିଏ ଏବଂ ବିଏମ୍ସି ୯୦ ଦିନ ଭିତରେ ଜାଗା ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ବିଡିଏ ଅଧ୍ୟକ୍ଷ ଏନ୍ ଥିରୁମାଲା ନାଏକ ଉପସ୍ଥିତ ଥିଲେ । ବୈଠକରେ ୨୦୩୦ରେ ସହରକୁ ସ୍ଲମ ଫ୍ରି ସିଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱର ଏନେଇ ଏକ ସର୍ଭେ କରାଯିବ । ସର୍ଭେରେ ଭୁବନେଶ୍ୱର ବସ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କେତେ ବସ୍ତି ରହିଛି, କେତେ ବସ୍ତିରେ ଉନ୍ନତୀକରଣ ହୋଇଛି । ସ୍ଥାନାନ୍ତରଣ ପକ୍ରିୟା କେତେ ବାଟ ଗଲା । ଏହା ଉପରେ ଆଲୋଚନା ହୋଇଥିଲା । ୬୦ ଦିନ ଭିତରେ ବିସ୍ତୃତ ରିପୋର୍ଟ ଦେବାକୁ ବିଏମ୍ସି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ପ୍ରୋଜେକ୍ଟ ମ୍ୟାନେଜ୍ମେଣ୍ଟ ୟୁନିଟ୍(ପିଏମୟୁ) ଆହୁରି ସକ୍ରିୟ କରାଯିବ । ଅଭିଜ୍ଞ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ନଗର ଉନ୍ନୟନ ବିଭାଗକୁ ୬୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।