ଆଜି ଶ୍ରୀଜିଉଙ୍କ ବଳିବାମନ ବେଶ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଦର୍ଶନ ଦେବେ । ଶ୍ରୀ ବଳଭଦ୍ର ରାଜ ବେଶ ଧାରଣ କରିବେ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ । ଆଜି ଦ୍ୱିପ୍ରହର ଧୂପ ସରିବା ପରେ ମହାପ୍ରଭୁ ବାମନ ବେଶରେ ସଜ୍ଜିତ ହେବେ। ବଡ ସିଂହାର ପୂଜା ହେବା ପର୍ଯ୍ୟନ୍ତ ଏହି ବେଶ ରହିବ । ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ ।

ଭଗବାନ ବିଷ୍ଣୁଙ୍କର ୧୦ ଅବତାର ମଧ୍ୟରୁ ବାମନ ଅବତାର ଅନ୍ୟତମ । ଏହା ବିଷ୍ଣୁଙ୍କର ପଞ୍ଚମ ଅବତାର । ଶୁକ୍ଳ ପକ୍ଷ ତ୍ରୟୋଦଶୀ ଦିନ ମଧ୍ଯାହ୍ନ ଧୂପ ପରେ ଶ୍ରୀଜଗନ୍ନାଥଙ୍କୁ ବାମନରୂପ ବାଳକ ବେଶରେ ସଜ୍ଜିତ କରାଯାଇଥାଏ । ଭଗବାନ ବିଷ୍ଣୁ ବାମନ ରୂପରେ ଜନ୍ମ ନେଇ ବଳି ମହାରାଜାଙ୍କୁ ନିଜ ପାଦ ତଳେ ଚାପି ଦେଇଥିଲେ । ଯେଉଁଥି ପାଇଁ ଶହ ଶହ ବର୍ଷ ଧରି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ବଳିବାନ ବେଶ ଅନୁଷ୍ଠିତ ହୋଇ ଆସୁଛି । ଯାହା ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏବି ବେଶ ଦର୍ଶନ କରି ପାରେବେ ଭକ୍ତ ।