ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା, ବିପଦ ସଙ୍କେତ ଉପରେ ବୈତରଣୀ, ସୁବର୍ଣ୍ଣରେଖା

ସମ୍ୱଲପୁର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଫୁଲୁଛି ନଦୀ ନାଳ । ସେପଟେ ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାପାଣି । ହୀରାକୁଦ ଡ୍ୟାମର ବାମ ପାର୍ଶ୍ବର ୫ ଓ ଡାହାଣ ପାର୍ଶ୍ବର ୩ଟି ଗେଟ୍‌ ଖୋଲା ଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୨୧ ଫୁଟ୍ ରହିଛି । ଡ୍ୟାମ୍‌ ଭିତରକୁ ୨,୩୩,୪୭୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୧,୬୧,୬୭୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର । ସେପଟେ ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମି. ଥିବା ବେଳେ ଏବେ ଜଳସ୍ତର ୧୦.୪୮ ମି. ରହିଛି । ବନ୍ୟା ପାଣିରେ ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଂଚଳ ପ୍ରଭାବିତ ହୋଇଛି । ଅନ୍ୟପଟେ ବିପଦ ସଂକେତ ଉପରେ ରହିଛି ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମି. ଥିବା ବେଳେ ଜଳସ୍ତର ୧୮.୪୨ ମି. ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ନେଇ ସୂଚନା ମିଳୀଛି । ଏଭଳି ଭାବେ ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି ।