ଭଦ୍ରକ: ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଛୁଇଁଲା ବୈତରଣୀ । ବିପଦ ସଂକେତ ୧୮.୩୩ ମିଟର ଛୁଇଁଲା ବୈତରଣୀ । ଜଳସ୍ତର ବଢ଼ୁଥିବାରୁ ବନ୍ୟା ନେଇ ସତର୍କ କରାଇଲେ ଜିଲ୍ଲାପାଳ । ଚାନ୍ଦବାଲି ଓ ଧାମନଗର ବେଶୀ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ଭଣ୍ଡାରୀପୋଖରୀ ଆଂଶିକ ପ୍ରଭାବିତ ହେବା ନେଇ ସମ୍ଭାବନା ଥିବା ବେଳେ ସମସ୍ତ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ଆନନ୍ଦପୁରରେ ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀର ଜଳସ୍ତର। ସତର୍କ ସଂକେତ ୩୭.୪୪୫ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୩୮.୩୬ ମିଟର ।

ଅନ୍ୟପଟେ ମୟୂରଭଞ୍ଜ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା କାରଣରୁ ବିଭିନ୍ନ ନଦୀ ଜଳସ୍ତର ବୃଦ୍ଧି ପାଇଛି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ତେବେ ଆଖୁଆପଦାରେ ରାତି ୧୦ଟା ସୁଦ୍ଧା ବିପଦ ସଙ୍କେତ ଟପିପାରେ ବୈତରଣୀ । ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା । ବିପଦ ସଙ୍କେତ ତଳେ ପ୍ରବାହିତ ହେଲେ ବି ଫୁଲୁଛି ସୁବର୍ଣ୍ଣରେଖା । ସେପଟେ ସୁବର୍ଣ୍ଣରେଖା ଓ ବୈତରଣୀ ବେସିନ୍କୁ ଗଲେ ୨ ସର୍ବୋଚ୍ଚ ଯନ୍ତ୍ରୀ । ଜଳସ୍ତର ବୃଦ୍ଧି ଯୋଗୁଁ ଭୁବନେଶ୍ବରରୁ ଗଲେ ଜଳସଂପଦ ବିଭାଗର ୨ ସର୍ବୋଚ୍ଚ ଯନ୍ତ୍ରୀ । ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ସ୍ଥିତି ଦେଖି ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ଜିଲାରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବାବେଳେ ଜନଜୀବନ ପ୍ରଭାବିତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜ୍ୟରେ ଆସନ୍ତା ୨୮ ତାରିଖ ଯାଏ ପ୍ରବଳ ବର୍ଷା ଲାଗିରହିବ। ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।