(ଅନୁସ୍ୱୟା)ଭୁବନେଶ୍ୱର: ଆଜି କାର୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଅର୍ଥାତ ବଡଓଷା । ଏହି ପବିତ୍ର ଦିନ ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଆଜି ବାବା ଧବଳେଶ୍ୱର ପୀଠରେ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଭୋର ପ୍ରାୟ ତିନିଟାରୁ ବାବାଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା। ପରେ ମଙ୍ଗଳଆଳତୀ, ମଇଲମ ଲାଗି ଆଦି ସମସ୍ତ ରୀତିନୀତି ନିର୍ଘଣ୍ଟ ଅନୁଯାୟୀ ସମାପନ ହେବା ପରେ ସାଧାରଣ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥିଲା। ଏହିଦିନ ବାବାଙ୍କ ନିକଟରେ ତାଙ୍କର ପ୍ରିୟ ଗଜ ମଣ୍ଡା ଲାଗି କରାଯାଇଥାଏ। ଗଜମଣ୍ଡା ପାଇଁ ପ୍ରସ୍ତୁତି ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆଜି ପୂଜାର୍ଚ୍ଚନା ପରେ ଭକ୍ତମାନେ ଏହାକୁ ପ୍ରସାଦ ଆକାରରେ ଗ୍ରହଣ କରିଥାନ୍ତି । ଏହି ସ୍ୱତନ୍ତ୍ର ଗଜ ମଣ୍ଡା ଧଳାରଂଗର ହୋଇଥିବାବେଳେ ଚୂନା ଖଳିରେ ଏହାକୁ ପ୍ରସ୍ତୁତ କରାଯାଇଥାଏ । ନଡିଆ ,ଗୁଡ ଓ ଗୁଜୁରାତିର ପୁର ଦେଇ ଏହି ପିଠାକୁ ପ୍ରସ୍ତୁତ କରାଯାଇଥାଏ ।
କିମ୍ବଦନ୍ତୀ ଅନୁଯାୟୀ ଶିବଙ୍କ ଦର୍ଶନ ପାଇଁ ନାରଦ ଏକଦା କୈଳାସ ପର୍ବତରେ ପହଂଚି ଦର୍ଶନ କରିବା ପରେ ଶୈବମାନଙ୍କର ଦୁଃଖ ଦୁର୍ଦ୍ଦଶା ଜଣାଇଥିଲେ । ଦୁଃଖ ଦୁର୍ଦ୍ଦଶାରୁ ଦୂର କରିବାକୁ ଉପାୟ ବାହାର କରିବାକୁ ମହାଦେବଙ୍କୁ ନାରଦ ନିବେଦନ କରିଥିଲେ । ଏହାର ଉପାୟ ବିଷୟରେ ଅବଗତ କରି ମହାଦେବ କାର୍ତିକ ମାସରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ କହିଲେ । ତେବେ ସେହିଦିନଠାରୁ ମର୍ତ୍ୟବାସୀ ଏହି ଓଷାକୁ ନିଷ୍ଠାର ସହ ପାଳନ କରିବାର ପରମ୍ପରା ରହିଛି ।