ଭୁବନେଶ୍ବର : ନନ୍ଦନକାନନରେ ଛୁଆହାତୀର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ହାତୀଟି ଆଖିବୁଜିଦେଲା । ୬ ତାରିଖରେ କରଞ୍ଜିଆରୁ ଉଦ୍ଧାର ହୋଇଥିଲା । ଖାଦାନରେ ପଡିଯିବାରୁ ଅଣ୍ଟାରେ ଆଘାତ ଲାଗିଥିଲା । ତା ବୟସ ୫ରୁ ୬ ବର୍ଷ ହେବ । ଚଳିତ ମାସ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲା ଏହି ହାତୀ ଛୁଆ । ହାତୀ ଶାଳର ଏକ ସ୍ବତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ହାତୀ ଛୁଆକୁ ରଖାଯାଇ ଚିକିତ୍ସା କରାଯାଉଥିଲା ।
ସୂଚନା ଅନୁସାରେ ଗତକିଛି ଦିନ ତଳେ ନନ୍ଦନକାନନରେ ଅସୁସ୍ଥ ଥିବା ବାଘୁଣୀ ରୂପାର ଛୁଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବାଘ ଛୁଆଟି ଅସୁସ୍ଥ ଥିବାରୁ ତାକୁ ନନ୍ଦନକାନନ ଚିକିତ୍ସାଳୟର ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ନନ୍ଦନକାନନର ଧଳା ବାଘୁଣୀ ରୂପା ଗତ ବର୍ଷ ନଭେମ୍ବର ୨ ତାରିଖରେ ତାର ତୃତୀୟ ଗର୍ଭରୁ ୪ ଶାବକ ଜନ୍ମ ଦେଇଥିଲା । ଜନ୍ମ ପରେ ସମସ୍ତ ଛୁଆଙ୍କୁ ଗ୍ରହଣ କରିଥିଲା ରୂପା ।