ଫିରିଙ୍ଗିଆ : ଗଞ୍ଜେଇ ଚାଲାଣର ହବ୍ ପାଲଟିଲାଣି ଓଡ଼ିଶା । ରାଜ୍ୟରୁ ବାହାର ରାଜ୍ୟକୁ ଚାଲାଣ ହେଉଛି ଗଞ୍ଜେଇ । ବିଶେଷ କରି କେରାପୁଟ, ମାଲକାନଗିରି, କନ୍ଧମାଳ ପରି ଉପାନ୍ତ ଜିଲ୍ଲାରେ ଚାଷ ହୋଇ ବାହାର ରାଜ୍ୟକୁ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ ହେଉଛି । କାଁ ଭାଁ ଚଢାଉ କରି ଚୁପ୍ ବସୁଛି ପୋଲିସ । ଅନେକ ସମୟରେ ଚାଲାଣ ପଛରେ ଖାକିର ହାତ ରହୁଥିବା ବେଳେ ଅଭିଯୋଗ ହୋଇଛି । ତେବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ଫିରିଙ୍ଗିଆ ପୋଲିସ ଜବତ ଗଞ୍ଜେଇକୁ ନିଜେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
ଗତ ୩ତାରିଖ ସକାଳ ୩ଟା ସମୟରେ ଫିରିଙ୍ଗିଆ ଥାନା ପୋଲିସ ଜବତ ଗଞ୍ଜେଇକୁ ବିକ୍ରି କରିବାକୁ ନେବାବେଳେ ଫିରିଙ୍ଗିଆ ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କ ସମେତ ଅଞ୍ଚଳବାସୀ ପୋଲିସ ଗାଡ଼ି ଅଟକାଇ ଗାଡ଼ିରୁ ଗଞ୍ଜେଇ ଜବତ କରିଥିଲେ। ପୋଲିସ ନିଜେ ଜବତ କରିଥିବା ଗଞ୍ଜେଇକୁ ବିକ୍ରି କରିବାକୁ ନେଉଥିବା ଜାଣିପାରିଥିଲେ ଗ୍ରାମବାସୀ । ଯହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ପ୍ରତିବାଦରେ ଆଜି ଅଞ୍ଚଳବାସୀ ଫିରିଙ୍ଗିଆ ବ୍ଲକ ଛକରେ କାଠ ଗଣ୍ଡି ପକାଇ ବ୍ୟାରିକେଟ କରି ରାସ୍ତାରୋକ କରିଛନ୍ତି । ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ପୋଲିସ ହୋଇ ଏଭଳି କାର୍ଯ୍ୟ କିପରି କରୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।