ଦୁଇ ହଜାର ବର୍ଷ ପୁରୁଣା ଜୈନ ଗୁମ୍ଫା ପାଇଁ ବିପଦ ସାଜିଛି ଭାରି ଯାନ ଯାତାୟତ, ସଂପୂର୍ଣ ରାସ୍ତା ବନ୍ଦ କରିଲା ଏଏସଆଇ, ପୋଲିସ ଓ ବିଏମସି
ଭୁବନେଶ୍ୱର: ଓଡିଶାର ଅନ୍ୟତମ ପ୍ରାଚୀନ ଜୈନ ସାଧନା ପୀଠ ତଥା ଗୁମ୍ଫା ହେଉଛି ରାଜଧାନୀ ଭୁବନେଶ୍ୱରର ଖଣ୍ଡିଗିରି ଓ ଉଦୟଗିରି ପାହାଡ । ଓଡିଶା ପର୍ଯ୍ୟଟନର ଏହା ହେଉଛି ଏକ ବିଶେଷ ସ୍ଥାନ । କିନ୍ତୁ ଏହି ପ୍ରାଚୀନ ଗୁମ୍ଫା ଏବେ ବିପଦଶଙ୍କୁଳ । ଦୁଇ ପାହାଡ ମଝିରେ ଯାଇଥିବା ରାସ୍ତା ପାଇଁ ଏହି ବିପଦ ଏବେ ବଢିବାରେ ଲାଗିଛି । ରାସ୍ତାରେ ଯାଉଥିବା ଭାରି ଯାନ ଯେପରି ହାଇୱା ଟ୍ରକ୍, ପରିବହନ ଗାଡି, ବସ୍ ହେଉ କି କାର ସବୁବେଳେ ଯାଆସ କରିବା ଫଳରେ କମ୍ପନ ବା ଭାଇବ୍ରେସନ୍ ହେଉଛି ରାସ୍ତା । ରାସ୍ତାକୁ ଲାଗିଥିବା ପାହାଡ ବି ଏହି କମ୍ପନ ଯୋଗୁଁ ପ୍ରଭାବିତ ହେଉଛି । ଫଳରେ ୨୧୦୦ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି କୀର୍ତୀରାଜିର ପାହାଡ ଫାଟିବାରେ ଲାଗିଛି । ପଥର ଫାଟିବା କାରଣରୁ ଗୁମ୍ଫାରେ ଅନେକ କ୍ରାକ୍ ବା ଫାଟ ଦେଖା ଦେଲାଣି । ଅନେକ ଗୁମ୍ପାରୁ ପଥର ଖସି ଗଲାଣି । ଏବେ ଖଣ୍ଡଗିରି ଓ ଉଦୟଗିରି ପାହାଡରେ ଏବେ ୩୨ଟି ସାନ ବଡ ଗୁମ୍ଫା ରହିଛି । ଏହା ସହ ଅନେକ ମନ୍ଦିର ଓ ପ୍ରାଚୀନ କୀର୍ତୀରାଜି ରହିଛି । ଉଭୟ ପାହାଡ ମଝିରେ ଥିବା ରାସ୍ତାରେ ଅନେକ ବର୍ଷ ହେବ ଭାରି ଯାନ ଚଳାଚଳ କରି ଆସୁଛି । ଏଥିପାଇଁ ଏଠାକାର ପରିବେଶ ଓ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି । ଯାହାର ସିଧା ସଳଖ ପ୍ରଭାବ ପଡୁଛି ପାହାଡ ଉପରେ । ଖଣ୍ଡିଗିରି ଉଦୟଗିରି ପାହାଡର ସଂରକ୍ଷଣ ଦାୟିତ୍ୱ ଏଏସଆଇ ଅଧୀନରେ ଅଛି । ତେବେ ଏଏସଆଇର ରିପୋର୍ଟ ଅନୁସାରେ ଏବେ ଦୁଇ ପାହାଡ ବିପଦ ଶଙ୍କୁଳ । ଏହାର ପ୍ରମୁଖ କାରଣ ଭାରି ଯାନ ଯାତାୟତ, ତେଣୁ ଏହାକୁ ବନ୍ଦ କରାଯାଉ ବୋଲି ଏଏସଆଇ ସ୍ଥାନୀୟ ପ୍ରସାଶନ କୁ ଚିଠି ଲେଖିଥିଲା । ୨୦୧୫ରେ ପ୍ରଥମେ ଏପରି ଏକ ଚିଠି ଲେଖି ପୋଲିସ ଠାରୁ ଅନୁମତି ମାଗିଥିଲା ଏଏସଆଇ । ହେଲେ ସେତେବେଳେ ଏହା କାର୍ଯ୍ୟକାରୀ ହୋଇ ନ ଥିଲା । କିନ୍ତୁ ଏବେ ପୋଲିସ, ବିଏମସି ସହାୟତାରେ ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆ ଯାଇଛି । କେବଳ ପଥଚାରୀ ଏହାକୁ ବ୍ୟବହାର କରି ପାରିବେ । ଯାହାକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ଲୋକେ । ଆଗାମୀ ଦିନରେ ପର୍ଯ୍ୟଟକଙ୍କ ପାଇଁ ବ୍ୟାଟେରୀ ଗାଡିର ବ୍ୟବସ୍ଥା କରାଯିବ ବୋଲି ଏଏସଆଇ ପକ୍ଷରୁ ସୁଚନା ମିଳିଛି । ସେହପିରି ପର୍ଯ୍ୟଟକଙ୍କ ଗାଡିପାର୍କିଂ ପାଇଁ ସ୍ଥାନ ବି ନିର୍ଧାରଣ କରାଯାଇଛି ।