ଗୋପ(ଜୟନ୍ତ କୁମାର ସେଠୀ): ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ ପାର୍ଟ ଟାଇମ ଉଚ୍ଛେଦ କରି ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏମାନେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଦ୍ୟାଳୟ ମାନଙ୍କରେ ଦୀର୍ଘ ୮ ବର୍ଷରୁ ଅଧିକ ସମୟ ଧରି ନିରବାଚ୍ଛନ୍ନ ଭାବେ କାର୍ୟ୍ୟ କରିବା ସହିତ ସରକାରଙ୍କର ସମସ୍ତ କାର୍ୟ୍ୟରେ ସମ୍ପୂର୍ଣ ସହଯୋଗ କରିଆସୁଛନ୍ତି ମାତ୍ର କିନ୍ତୁ ମାସିକ ଦରମା ଓ ପ୍ରତି କ୍ଲାସ ଅନୁଯାୟୀ ନୋ ୱାର୍କ ନୋ ପେ ଅନୁସାରେ ୨୪ଟି କ୍ଲାସ ଆଧାରରେ ଦରମା ପ୍ରଦାନ କରାଯାଉଛି । ସେହିପରି ମାସିକ ଦରମା ମାତ୍ର ୫ ହଜାର ଟଙ୍କା ରହିଥିବାରୁ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇ ପଡିଛି । ସ୍କୁଲରେ ଥିବା ଅନ୍ୟ ନିୟମିତ ଶିକ୍ଷକଙ୍କ ଭଳି ସବୁ କାର୍ୟ୍ୟ ସେମାନେ କରୁଥିଲେ ମଧ୍ୟ ଏତେ କମ ଦରମା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ସରକାର ଏହାକୁ ବିଚାରକୁ ନେଇ ଠିକା କର୍ମଚାରୀ ବ୍ୟବସ୍ଥା ଉଚ୍ଛେଦ କରିବା ସେମାନଙ୍କୁ ସରକାରି କର୍ମଚାରୀର ମାନ୍ୟତା ଦେବାକୁ ସଙ୍ଘ ପକ୍ଷରୁ ଦାବି ହୋଇଛି ।