ପାକିସ୍ଥାନକୁ ଡାଟା ପଠାଇ ବିଏସଏଫ ଜବାନ ଗିରଫ

(ରିପୋର୍ଟସଟୁଡେ) ଭାରତ-ପାକିସ୍ତାନ ସୀମାରେ ଲଗାଯାଇଥିବା ତା‌ରବାଡ଼ ଏବଂ ସୀମା ସହ ସଂଲଗ୍ନ ବିଭିନ୍ନ ସଡ଼କର ଫଟୋ ଉଠାଇ ଆଇଏସ୍ଆଇ ଏଜେଣ୍ଟକୁ ପଠାଇବା ଅଭିଯୋଗରେ ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ଗିରଫ କରାଯାଇଛି। ଖୁବ୍‌ଶୀଘ୍ର ପୁଲିସ ତାଙ୍କୁ ରିମାଣ୍ଡରେ ନେଇ ଜେରା କରିବ ବୋଲି ଜଣାପଡ଼ିଛି।
ରବିବାର ପୁଲିସ ଦେଇଥିବା ସୂଚନା ମୁତାବକ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍)ର କର୍ମଚାରୀ ଶେଖ୍‌ ରୈଜୁଦ୍ଦିନ୍‌ଙ୍କ କାର୍ୟ୍ୟକଳାପ ଉପରେ କିଛିଦିନ ହେଲା ସନ୍ଦେହ ଉପୁଜିଥିଲା। ତେଣୁ ତାଙ୍କ ଉପରେ ନିୟମିତ ଭାବେ ନଜର ରଖାଯାଇଥିଲା। ଶେଷରେ ତାଙ୍କୁ ପ୍ରମାଣ ସହିତ ଗିରଫ କରାଯାଇଛି। ମହାରାଷ୍ଟ୍ରର ରେନ୍‌ପୁରା ଗ୍ରାମର ବାସିନ୍ଦା ରୈଜୁଦ୍ଦିନ୍‌ ବିଏସ୍‌ଏଫ୍‌ର ୨୯ତମ ବାଟାଲୟିନ୍‌ରେ କାର୍ୟ୍ୟ କରୁଥିଲେ। ତେବେ କିଛି ଦିନ ହେବ ସେ ପଞ୍ଜାବର ଫିରୋଜପୁର ସେକ୍ଟରର‌େ ମୁତୟନ ହୋଇଥିଲେ। କିନ୍ତୁ ଏହାପରେ ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସ୍ଆଇର ଏଜେଣ୍ଟ ମିର୍ଜା ଫୈଜଲ୍‌ ସହିତ ସମ୍ପର୍କ ସ୍ଥାପନ କରିଥିଲେ। ଏହାପରେ ସେ ଭାରତୀୟ ସୀମା ସଡ଼କର ଫଟୋ ଏବଂ ବିଭିନ୍ନ ତଥ୍ୟ ପଠାଇ ଆସୁଥି‌ଲେ। ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀଙ୍କ ଫୋନ୍‌ ନମ୍ବର ଏବଂ କିଛି ଗୁଇନ୍ଦା ସୂଚନା ମଧ୍ୟ ସେ ଯୋଗାଇ ଆସୁଥିଲେ। ପୁଲିସ ଦର୍ଶାଇଛି ଯେ ଅଭିଯୁକ୍ତ ରୈଜୁଦ୍ଦିନ୍‌ ନିଜ ମୋବାଇଲ୍‌ ଫୋନ୍‌ ଜରିଆରେ ଆଇଏସ୍ଆଇ ଏଜେଣ୍ଟ ଫୈଜଲ୍‌କୁ ତଥ୍ୟ ଯୋଗାଉଥିଲେ। ବିଏସ୍‌ଏଫ୍‌ର ୨୯ତମ ବାଟାଲିୟନ୍‌ର ଉପକମାଣ୍ଡାଣ୍ଟଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଫିରୋଜପୁରର ମମଦୁତ ଥାନାରେ ରୈଜୁଦ୍ଦିନ୍‌ଙ୍କ ବିରୋଧରେ ଏତଲା ରୁଜୁ ‌ହୋଇଛି।