ଆପଣଙ୍କ ଆଖିତଳ କଳା ପଡ଼ୁଛି କି ? ତେବେ ଆପଣାନ୍ତୁ ଏହି ଉପାୟ…

0

ଭୁବନେଶ୍ୱର: ଅନେକଙ୍କର ଆଖି ତଳେ କଲା ଦାଗ ଦେଖାଦେଇଥାଏ। ଏହା ବ୍ୟକ୍ତିକୁ କ୍ଳାନ୍ତ ହୋଇଥିବାର ଭାବନା ଆଣିଥାଏ। ଏପରି କଳା ଦାଗ ଲିଭାଇବା ପାଇଁ ପ୍ରଚୁର ସୁଖ ଏବଂ ଗାଢ଼ ନିଦ୍ରା ସହ ଅଧିକ ପାନୀୟ ସେବନ ଓ ନାନା ପ୍ରକାର ରାସାୟନିକ ପ୍ରଲେପ ବୋଳିବା ପାଇଁ ପରାମର୍ଶ କରାଯାଇଥାଏ। ତେବେ ସେଗୁଡ଼ିକ କ୍ଷଣସ୍ଥାୟୀ ଉପଚାର କହିଲେ ଅତ୍ୟୁକ୍ତି ହେବନାହିଁ।

ଏଣୁ ସେହି କଳାଦାଗ ଚିରଦିନ ପାଇଁ ଲିଭାଇବା ଲାଗି ଚର୍ମ ତଳେ ‘ଅଣ୍ଡର-ଆଇ ଫିଲର୍ସ’ ନାମକ ଏକ ପ୍ରକାର ତରଳ ପଦାର୍ଥର ଉପଯୋଗ ଲୋକପ୍ରିୟ ହେବାରେ ଲାଗିଛି। ଆମ ଶରୀରର ଚର୍ମକୁ ଚିକ୍କଣ ତଥା ଆର୍ଦ୍ର ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ହ୍ୟାଲୁରୋନିକ ଏସିଡ୍(ଏଚଏ) ପରି ପ୍ରାକୃତିକ ସାମଗ୍ରୀରୁ ସ୍ବତନ୍ତ୍ର ଭାବରେ ସୃଷ୍ଟ ଏହି ‘ଅଣ୍ଡର-ଆଇ ଫିଲର୍ସ’କୁ ସାଧାରଣତଃ ଇଞ୍ଜେକ୍ସନ ସାହାଯ୍ୟରେ ଉପଯୋଗ କରାଯାଇଥାଏ।

ଉଲ୍ଲେଖଯୋଗ୍ୟ, ଚର୍ମ ପତଳା ହୋଇଗଲେ କି ଚର୍ମତଳେ ଚର୍ବି ଅଂଶ କି କୋଲାଜେନ୍‌ ପରିମାଣ କମିଗଲେ ଆଖିତଳେ ଏପରି କଳାଦାଗ ଦେଖାଦେଇଥାଏ। ତେବେ ଅଣ୍ଡର-ଆଇ ଫିଲର୍ସ ଆଖି ତଳେ ପ୍ରବେଶ କରିବା ମାତ୍ରେ ତାହା ଧୀରେଧୀରେ ସଂପୃକ୍ତ ସ୍ଥାନକୁ ଉଜ୍ବଳ ତଥା ତାଜା କରିଦେବା ସହ ଚର୍ମର ଆର୍ଦ୍ରତା ଓ ନମନୀୟତା ବଢ଼ାଇ ତ୍ବଚାର ପୂର୍ବରୂପ ଫେରାଇ ଆଣିଥାଏ। ମାତ୍ର ୧୫ରୁ ୩୦ ମିନିଟ ଭିତରେ ସାଧିତ ହୋଇ ପାରୁଥିବା ଏହି ଫିଲର୍ସ ଉପଯୋଗ ପ୍ରକ୍ରିୟା ଏକ ଅଣ-ଅସ୍ତ୍ରୋପଚାର ପଦ୍ଧତି ହେବା ସହ ଏହାର ତତ୍କାଳ ଫଳାଫଳ ପାଇଁ ଏହାର ଚାହିଦା ବଢ଼ିବାରେ ଲାଗିଛି।