ଆସୁଛି ଆଉ ଏକ ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ଵର: ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା । ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପବନ ବହୁଛି। ଫଳରେ ଜଳୀୟବାଷ୍ପ ଅଧିକ ରହିବ। ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ। ଏହି ଲଘୁଚାପଟି ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଓ ପଶ୍ଚିମବଙ୍ଗ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଲଘୁଚାପଟି ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାକୁ ଥିବାରୁ ପ୍ରଥମେ ଉତ୍ତର ଓଡ଼ିଶାରେ ଏହା ପ୍ରଭାବରେ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ସମୟରେ ଏହା ଝାଡ଼ଖଣ୍ଡ ଓ ଛତିଶଗଡ଼ ମୁହାଁ ହେବାକୁ ଥିବାରୁ ଏହାର ସମୀନ୍ତବର୍ତ୍ତୀ ଓଡ଼ିଶା ଜିଲ୍ଲା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧୯ ତାରିଖ ପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡ଼ିକ ହେଉଛି-: ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ ବାଲେଶ୍ବର । ଏହିସବୁ ଜିଲ୍ଲାରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।