ମହାନଦୀରେ ଭାସୁଛି ଅଜଣା ମୃତଦେହ

ଆଠଗଡ଼: ମହାନଦୀରେ ଏକ ଅଜଣା ମୃତ ଦେହ ଭାସୁଥିବାର ଦେଖାଯାଇଛି । ମୁଣ୍ଡଳୀ ବ୍ରିଜ ଠାରୁ ୨କିଲୋମିଟର ଦୂର ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ସୋମବାର ସ୍ଥାନୀୟ ଲୋକେ ଏକ ମୃତଦେହ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟୁଣୀ ପୁଲିସ ଅଗ୍ନିଶମ ବାହିନୀ ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ଏହା ଜଣେ ଯୁବତୀଙ୍କ ମୃତଦେହ ବୋଲି ଜଣାପଡ଼ିଛି । ଯୁବତୀ ଜଣକ କଳାରଙ୍ଗର ପ୍ୟାଣ୍ଟ ଏବଂ ବ୍ଲୁ ରଙ୍ଗର ସାର୍ଟ ପିନ୍ଧିଛନ୍ତି । ଦୁଇ ଦିନ ତଳେ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ରଖି ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଐଶର୍ଯ୍ୟା ପରିଜା ନିଖୋଜ ହୋଇଥିଲେ । ଏହା ତାଙ୍କର ମୃତଦେହ ବୋଲି ସନ୍ଦେହ କରାଯାଉଛି । ସେପଟେ ପୁଲିସ ଉପସ୍ଥିତିରେ ଘର ଲୋକଙ୍କ ଚିହ୍ନଟ ପରେ ହିଁ ପରିଚୟ ସ୍ପଷ୍ଟ ହୋଇପାରିବ । ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।