ନବୀନ ବାବୁ ଖଣି ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି : ଶାହା

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): କେନ୍ଦୁଝରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେ କହିଛନ୍ତି ଯେ କେନ୍ଦୁଝର ମେଡିକାଲ୍‌ କଲେଜ୍‌ ନିର୍ମାଣରେ ନବୀନ ବାବୁଙ୍କ ସରକାର ଗୋଟିଏ ଚାରଣା ବି ଦେଇ ନାହାନ୍ତି। ଏହି ଅବସରରେ ସେ ମୋଦୀ ସରକାରର ସଫଳତା ଏବଂ ଓଡ଼ିଶାରେ କେଉଁ ପ୍ରକଳ୍ପଲାଗି କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି ତାହାର ହିସାବ ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍‌ ପଠାଯିବ ବୋଲି କହିଛନ୍ତି ଅମିତ ଶାହ। ବିଜେପି ସରକାର ଆସିଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବଏବଂ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ ବୋଲି କହିଛନ୍ତି ଅମିତ ଶାହ। ଥରେ ବିଜେପିକୁ ଦାୟିତ୍ୱ ଦିଅ, ୫ ବର୍ଷରେ ଓଡ଼ିଶା ୧ ନମ୍ବର ହେବ ବୋଲି କହିଛନ୍ତି ଅମିତ ଶାହ।
୧୯ ବର୍ଷ ହେଲା ନବୀନ ଓଡ଼ିଶାରେ ଅଛନ୍ତି, ଏଠି ପିଇବା ପାଣି ମିଳୁନି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି ବୋଲି କହିଛନ୍ତି ଅମିତ ଶାହ। ନବୀନ ବାବୁ ଖଣି ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି; ନବୀନଙ୍କ ପାଖରେ ଥିବା ବାବୁଲୋକ ଭ୍ରଷ୍ଟାଚାର କରୁଛନ୍ତି, ନବୀନ ନିର୍ବିକାର ଏବଂ ହଜାର ହଜାର ଓଡ଼ିଆ ଯୁବକ କାମ ପାଇଁ ବାହାରକୁ ଯାଉଛନ୍ତି ବୋଲି କହିଛନ୍ତି ଅମିତ ଶାହ।
ଏହି ସଭାରେ କେନ୍ଦୁଝରର ବିଜେପି ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକଙ୍କ ସମେତ ବିଜେପିର ବିଧାନସଭା ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ଥିଲେ।