ଆନନ୍ଦପୁର(ରିପୋର୍ଟର୍ସ ଟୁଡେ): ରୋଗୀକୁ ଘରୁ ନେବା ଆଣିବା କରିବା ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । ରୋଗୀର ପ୍ରାଥମିକ ଚିକିତ୍ସା ପାଇଁ ଆଜିକାଲି ମଡର୍ଣ୍ଣ ଟେକ୍ନୋଲୋଜିରେ ଆମ୍ବୁଲାନ୍ସ ଗୁଡିକୁ ମଧ୍ୟ ପ୍ରସ୍ତୁତ କରାଗଲାଣି । କିନ୍ତୁ ଏ ସମୟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲରୁ ଜଣେ ରୋଗୀଙ୍କୁ ଆଣି ଘରେ ଛାଡିବା ପରିବର୍ତ୍ତେ ଜଙ୍ଗଲରେ ଛାଡିଛି ନିଶାସକ୍ତ ଆମ୍ବୁଲାନ୍ସ ଡ୍ରାଇଭର ।
ଆନନ୍ଦପୁରର ଭାସ୍କର ସାହୁ ନାମକ ଜଣେ କୋରୋନା ସଂକ୍ରମିତ ରୋଗୀ କେନ୍ଦୁଝର ଡାକ୍ତରଖାନାରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଥଲେ । ତେଣୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଯାଇଥିଲା । ମାତ୍ର ତାଙ୍କ ସହିତ ଘଟିଥିଲା ସମ୍ପୂର୍ଣ୍ଣ ଅଲଗା । ନିଶାସକ୍ତ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କୁ ଘରେ ଛାଡିବା ପରିବର୍ତ୍ତେ ଘରଠୁ ୪୦ କି.ମି ଦୂର ଏକ ଘଞ୍ଚ ଜଙ୍ଗଲରେ ଛାଡି ଦେଇଥିଲା । ୨୦ ନଂ ଜାତୀୟ ରାଜପଥ ଅଟେଇ ଜଙ୍ଗଲର କୁମୁଡ ଛକ ନିକଟରେ ଭାସ୍କରଙ୍କୁ ଗାଡିରୁ ଓହ୍ଲାଇ ଦେଇ ଚାଲିଯାଇଥିଲା ଆମ୍ବୁଲାନ୍ସ । ପାଖାପାଖି ୨ ଘଣ୍ଟା ଅପେକ୍ଷା କରିବା ସତ୍ତେ୍ୱ ଡ୍ରାଇଭରର କୌଣସି ପତ୍ତା ପାଇନଥିଲେ ଭାସ୍କର । ଏହାପରେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ସେ ଘରକୁ ଯାଇଥିଲେ ।