କ୍ରିଡା କ୍ଷେତ୍ରରେ ଭତ୍ତା ବୃଦ୍ଧି

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଓଡିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ଏହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆଜି ରାଜ୍ୟ ସରକାର ମାସିକ ଭତ୍ତା ଟଙ୍କା ବୃଦ୍ଧି କରିଛନ୍ତି । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଓ ଜାତୀୟ ସ୍ତରରେ ପଦକ ହାସଲ କରିଥିବା ବିଜେତାଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଘୋଷଣା କରିଛନ୍ତି । କ୍ରିଡା ହଷ୍ଟେଲରେ ଝିଅଙ୍କ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ବୃଦ୍ଧି କରି ୫୦୦ ଟଙ୍କା କରାଯାଇଛି । ସେହିପରି ପୁରୁଷ ଖେଳାଳିଙ୍କ ଭତ୍ତା ୩୦୦ ଟଙ୍କା କରାଯାଇଛି ।
ଜାତୀୟ କ୍ରୀଡା ଫେଡେରେସନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବା ସମାନ ର୍ୟାଙ୍କରର ପ୍ରତିଯୋଗୀତାରେ ଭାଗ ନେବା ପାଇଁ ସହର ବାହାରକୁ ଯାଉଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଦୈନିକ ୩୦୦ ଟଙ୍କା ଭତ୍ତା ଦିଆଯିବ । ଜାତୀୟ ସ୍ତରର ପ୍ରତିଯୋଗିତାରେ ସୁବର୍ଣ୍ଣ ହାସଲ କରୁଥିବା ବିଜେତା ଖେଳାଳିଙ୍କୁ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା, ରୌପ୍ୟ ଓ ବ୍ରୋଞ୍ଜ ହାସଲ କରିଥିବା ଖେଳାଳିଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଭତ୍ତା ଏକ ବର୍ଷ ପର୍ଯ୍ୟନ୍ତ ଦିଆଯିବ । ଯଦି ପଦକ ଜିତିବା ପରେ ଜଣେ କ୍ରୀଡାବିତ ଏକ ଜାତୀୟ ରେକର୍ଡ ସୃଷ୍ଟି କରିବାରେ ସମର୍ଥ ହୁଅନ୍ତି ଓ ରେକର୍ଡକୁ ଏକ ବର୍ଷ ପର୍ଯ୍ୟନ୍ତ ଜାରି ରଖନ୍ତି, ତେବେ ସେହି ଖେଳାଳିଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ଦିଆଯିବ । ଜାତୀୟ ଦଳରେ ଭାଗ ନେବା ପାଇଁ ମନୋନୀତ କ୍ରୀଡାବିତ୍‌ମାନଙ୍କୁ ମଧ୍ୟ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ମିଳିବ।