ଚୋରି ହେଲା ମହାପ୍ରଭୁଙ୍କ ଦଶମୂଳ ମୋଦକ, ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ବଡ ପ୍ରଶ୍ନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ବଡ ବିଭ୍ରାଟ ଦେଖାଦେଇଛି । ଚୋରୀ ହୋଇଗଲା ମହାପ୍ରଭୁଙ୍କ ମୋଦକ  । ଯେଉଁ ମୋଦକ ଖାଇ ମହାପ୍ରଭୁ ସୁସ୍ଥ ହୋଇଥାନ୍ତେ ସେହି ମୋଦକ ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଚୋରୀ ହୋଇଯାଇଥିବା ନେଇ ସୂଚନା ମିଳଛି  । ଫଳରେ ମହାପ୍ରଭୁଙ୍କୁ ଲାଗି ହୋଇଛି ମାରା ମୋଦକ  । ତେବେ ରାଜବୈଦ୍ୟ ପ୍ରଦାନ କରିଥିବା ଦଶମୂଳ ମୋଦକ ଲାଗି ହେବା ପୂର୍ବରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ଗାରଦରେ ଜମାଥିବା ଦଶମୂଳ ମୋଦକ ଚୋରି ହୋଇଥିବା ନେଇ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ଶ୍ରୀ ହଳଦର ଦାସ ମହାପାତ୍ର ।

ମହାପ୍ରଭୁଙ୍କୁୁ ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ଲାଗିହେଲା ସେ ନେଇ ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଏ ନେଇ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଚିଠି ଲେଖି ଅବଗତ କରାଇବା ସହ ମାରା ମୋଦକଚୋରି ନେଇ ଅଭିଯୋଗ ଆଣିଛନ୍ତି ବାଡ଼ ଗ୍ରାହୀ । ମାରା ହୋଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ସମର୍ପିତ ହେଲା ତାହାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ହଳଧର ।

ଅନବସର ଏକାଦଶୀ ଦିନ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ସେବାରେ କବିରାଜ ସେବକ ଭକ୍ତମାନେ ମୋଦକ ଆଣି ଶ୍ରୀମନ୍ଦିର ଗାରଦ କାର୍ୟ୍ୟାଳୟରେ କମାଣ୍ଡରଙ୍କ ତତ୍ବାବଧାନରେ ଜମା ଦେଇ ଥାଆନ୍ତି। କିନ୍ତୁ ଦୁଃଖର ବିଷୟ ମହାପ୍ରଭୁଙ୍କ ଭୋଗ ନିମନ୍ତେ ମୋଦକ ମଣତି ନେଇ ନେବା ସମୟରେ ମୂର୍ତ୍ତି ୩୧୩ ଅମୁଣିଆ ମୋଦକରୁ ମୃତି ୭୦ କମ୍ ଥିଲା। ଏହି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କୁ ମୂର୍ତ୍ତି ମୂଳ କିପରି କରାଗଲା। ଏହି ଅପରାଧ ପାଇଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ।

ଶ୍ରୀ ଦାସମହାପାତ୍ର ପ୍ରଶ୍ନ ଉଠାଇ ଲିଖିତ ଭାବେ ଅବଗତ କରାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଗାରଦଠାରୁ ଉତ୍ତର ମାଗିଛନ୍ତି। ଗାରଦ ଉତ୍ତର ଦେବା ପରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି। ଗତ ବର୍ଷ ରଥଯାତ୍ରା ସମୟରେ ବଳଭଦ୍ର ମହାପ୍ରଭୁ ଚାରମାଳରେ ପଡ଼ିଯିବା ଘଟଣାରେ ନିନ୍ଦିତ ହୋଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏଥିରେ କୌଣସି କାର୍ୟ୍ୟାନୁଷ୍ଠାନ ହେଲା ନାହିଁ। ଚଳିତ ବର୍ଷ ଶୃଙ୍ଖଳିତ ରଥଯାତ୍ରା କରିବାକୁ ସମସ୍ତେ ଅଣ୍ଟା ଭିଡ଼ିଲେ। ହେଲେ ଆରମ୍ଭରୁ ଘଟିଲାଣି ବିଭ୍ରାଟ।