ସମସ୍ତ କର୍ମଚାରୀମାନଙ୍କୁ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ତାଗିଦ

ଭୁବନେଶ୍ୱର-: ଓଡ଼ିଶା ସରକାର ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ସମୟାନୁବର୍ତ୍ତିତା ବଜାୟ ରଖିବାକୁ ନିର୍ଦ୍ଦେଶ ଜାରିକରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହାର ସମସ୍ତ ବିଭାଗକୁ କାର୍ଯ୍ୟାଳୟଗୁଡ଼ିକରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ସ୍ଥାପନ କରି ବାୟୋମେଟ୍ରିକ୍ ତଥ୍ୟକୁ NIC ଦ୍ୱାରା ବିକଶିତ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ପୋର୍ଟାଲ୍ ସହିତ ଲିଙ୍କ୍ କରିବା ଏବଂ ବିଭାଗର ଜଣେ ନିଯୁକ୍ତ ଅଧିକାରୀ ଦ୍ୱାରା ପ୍ରତି ପାକ୍ଷିକ ଭାବରେ ବିଶ୍ଳେଷଣ କରିବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଥିଲା । କିନ୍ତୁ ଏସବୁ ସତ୍ୱେ ବିଭିନ୍ନ କଲେଜରେ ପ୍ରିନ୍ସିପାଲଙ୍କ ଅନୁପସ୍ଥିତ ବୃଦ୍ଧି ପାଉଛି । ବାୟୋମେଟ୍ରିକ୍ ଉପସ୍ଥାନରେ ଅନିୟମିତତା ଏବଂ ଡ୍ୟୁଟିରେ ଅନଧିକୃତ ଅନୁପସ୍ଥିତ ବୃଦ୍ଧି ପାଉଛି । କଲେଜରେ ସର୍ବନିମ୍ନ ୭ ଘଣ୍ଟା ରହିବାକୁ ସରକାର ଏବଂ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ରହିଥିଲେ ବି ଅନେକ ପ୍ରିନ୍ସପାଲ ଅନୁପସ୍ଥିତ ରହୁଛନ୍ତି । ପ୍ରିନ୍ସପାଲ ନିଜେ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିଵା ବେଳେ ସମାନ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀଙ୍କ ପ୍ରତି କଠୋର ହେଉଛନ୍ତି । ଏଥିସହ ପ୍ରିନ୍ସପାଲ ଓ କିଛି କର୍ମଚାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ନ ଦେଇ କଲେଜରେ ଅନଧିକାର ଭାବରେ ଅନୁପସ୍ଥିତ ରହୁଛନ୍ତି । ତେଣୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱର ତରଫରୁ ପୁନଶ୍ଚ ଏକ ନିର୍ଦ୍ଧେଶ ନାମା ଜାରିକରି ସମସ୍ତ କର୍ମଚାରୀମାନଙ୍କୁ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।