କେନ୍ଦ୍ରପଡା : ଆମେରିକା ଓ ନାଟୋ ସଙ୍ଗଠନରେ ଦୀର୍ଘ ୨୦ ବର୍ଷ କାର୍ଯ୍ୟ କରିବା ପରେ ନିଜ ଜନ୍ମ ଭୂମି ଓଡିଶାରେ କୃଷି ଓ କୃଷକର ଉନ୍ନତି ନିମନ୍ତେ ଇଛା ପ୍ରକଟ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ରାଇସରପୁର ଗ୍ରାମର ରଶ୍ମୀକାନ୍ତ ବେହେରା । ବୁଧବାର ଦିନଏକ ଖବର ଦାତା ସମ୍ମିଳନୀ ରେ ସେ ଏହା ପ୍ରକାଶ କରିଛନ୍ତି । ରଶ୍ମି କାନ୍ତର ବାପା ରାଇସରପୁର ଗ୍ରାମର ରଘୁନାଥ ବେହେରା । ସାଇକେଲ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପରିବାର ଅତି କଷ୍ଟରେ ଚାଲୁଥିଲା । ଏଭଳି ପରିସ୍ଥିତିରେ ରଶ୍ମିକାନ୍ତ ମାଟ୍ରିକ ଫେଲ ହେବା ପରେ ୧୯୯୮ ମସିହାରେ ଘରୁ ବମ୍ବେ ପଳାଇଥିଲେ ଚାକିରୀ ଅନ୍ବେଷଣରେ । ସେଠାରେ ସେ ସ୍ୱଳ୍ପ ବେତନରେ କାମ କରି ନିଜ ଗୁଜୁରାଣ ମେଣ୍ଟାଇବା ସହିତ ବାପାଙ୍କ ନିକଟକୁ ପଇସା ପଠାଉଥିଲେ । ଏହାପରେ ସେ ୨୦୦୨ ମସିହାରେ କୋଏତ ଯାଇଥିଲେ । ଏହି ସମୟରେ ଆମେରିକା ଓ ଇରାକ ଯୁଦ୍ଧ ବେଳେ ନାଟୋ ଏବଂ ୟୁଏସ ସେନା ପକ୍ଷରୁ ପଡ଼ିଥିବା ଆର୍ମିକ୍ୟାମ୍ପରେ ତାଙ୍କୁ କାମ କରିବାର ସୁଯୋଗ ମିଳିଥିଲା ।
ଏହା ପରେ ସେ ଆଉ ପଛକୁ ନ ଫେରି ନିଜର ଇଛା ଶକ୍ତି ଓ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇ ନାଟୋ ସଙ୍ଗଠନର ଜଣେ ସ୍ଥାୟୀ କର୍ମଚାରୀ ଭାବେ ଚାକିରି ପାଇ ଯାଇଥିଲେ । ରଶ୍ମିକାନ୍ତ ପ୍ରାୟ ୫୦ ରୁ ଉର୍ଦ୍ଧ କ୍ୟାମ୍ପରେ ସଫଳତାର ସହ କାର୍ଯ୍ୟ କରିଥିବା ଯୋଗୁଁ ନାଟୋ ମିଲିଟାରି ସଙ୍ଗଠନ ପକ୍ଷରୁ ତାଙ୍କୁ ୩୦ ରୁ ଉର୍ଦ୍ଧ ମେଡାଲ ମିଳିଛି । ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଓ ଦକ୍ଷତାର ସହିତ ଦୈନିକ ୧୨ ଘଣ୍ଟା କାର୍ଯ୍ୟ ସମ୍ପାଦନ କରିଥାନ୍ତି । ତାଙ୍କ ଆଖିସାମ୍ନାରେ ଅନେକ ଯୁଦ୍ଧର ଛାତିଥରା କାହାଣୀ ସେ ବର୍ଣ୍ଣନା କରିଛନ୍ତି । ରଶ୍ମୀକାନ୍ତଙ୍କ ଏହି କାର୍ଯ୍ୟ ପରେ ପରିବାରର ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଘଟିଛି । ଏପରିକି ରଶ୍ମିକାନ୍ତ ଜଣେ ପରିବେଶ ବିତ ଭାବେ ମଧ୍ୟ ଅଞ୍ଚଳରେ ଜଣାଶୁଣା । ରଶ୍ମୀକାନ୍ତ ନିଜ ହାତରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଛନ୍ତି । ଏପରିକି ଗ୍ରାମର ଅନେକ ଲୋକଙ୍କ ସୁବିଧା ଅସୁବିଧା ସମୟରେ ସେ ସହଯୋଗର ହାତ ବଢ଼ାଇଛନ୍ତି । ଏବେ ରଶ୍ମୀକାନ୍ତ ନିଜ ଜନ୍ମଭୂମି ଓଡିଶାକୁ ଫେରି କୃଷି ଓ କୃଷକର କାର୍ଯ୍ୟ କରିବାକୁ ଇଛା ପ୍ରକଟ କରିଛନ୍ତି । ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଯଦି ତାଙ୍କ ଦକ୍ଷତାର ପ୍ରମାଣ ନେଇ ତାଙ୍କୁ କିଛି ସହଯୋଗ କରନ୍ତେ ତେବେ ସେ ନିଜ ଅଞ୍ଚଳ ପାଇଁ କିଛି କରିପାରିବେ ବୋଲି ଆଶା ରଖିଛନ୍ତି ।