ରାଜ୍ୟରେ ଲଗାଣ ବର୍ଷା ପରେ ସଙ୍ଗୀନ ହୋଇଛି ସ୍ଥିତି

ଭୁବନେଶ୍ୱର : ରାଜ୍ୟରେ ବନ୍ୟାସ୍ଥିତି । ବର୍ଷାରେ ଉବୁଟୁବୁ ଓଡ଼ିଶା । ବର୍ଷା ଛାଡିବା ପରେ ବଢିଛି ଦୁର୍ଦ୍ଦଶା । ଲଗାଣ ବର୍ଷା ପରେ ସଙ୍ଗୀନ ହୋଇଛି ସ୍ଥିତି  । ବର୍ଷା ଯୋଗୁ ପ୍ରାୟ 15 ଜିଲ୍ଲା ପ୍ରଭାବିତ ହୋଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ଅନେକ ଉପକୂଳିଆ ଗାଁ ଏବେ ଜଳମଗ୍ନ । ଏକର ଏକର ଚାଷ ଜମି ପାଣି ଘେରରେ । ମାଡିଯାଇଛି ବାଲି ଚର । ଉଜୁଡିଯାଇଛି ଅନେକଙ୍କ ଚାଷବାସ । ହାରାକୁଦ ଡ୍ୟାମର ଗେଟ୍ ଖୋଲାଯାଇଥିବାରୁ ଏବେ ବି ଭୟରେ ତଳିଆ ଅଞ୍ଚଳ ଲୋକେ । ଭଦ୍ରକରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି  । ଅନେକ ଗାଁରେ ପଶିଛି ପାଣି । ଜଗତସିଂହପୁର ଜିଲ୍ଲାର ୨୦ରୁ ଅଧିକ ଗାଁ ପାଣିଘେରରେ ରହିଛି। ଜଳବନ୍ଦୀ ଅବସ୍ଥାରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । କଟକ ଜିଲ୍ଲା ନିଆଳି ବ୍ଲକ ଅଳୋଁ ପଞ୍ଚାୟତ କନ୍ଦଳ କୂଳିଆ ଲୋକ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ନଦୀବନ୍ଧ ଅବସ୍ଥା ଦେଖି ରାତି ଅନିଦ୍ରା ହୋଇ ଜଗି ବସିଛନ୍ତି ନଦୀ କୂଳିଆବାସୀ  । ଅନ୍ୟପଟେ ଦୁର୍ବଳ ହୋଇଛି ଲଘୁଚାପ କିନ୍ତୁ କମିନି ବନ୍ୟାର ଭୟ । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।